ପ୍ରିୟା ଓଢଣୀ
ପ୍ରିୟା ଓଢଣୀ
ସୂର୍ଯ୍ୟକୁ ନେହୁରା ହେଲି
କରିବନି ଖରା,
କଳା ପଡ଼ି ଯିବ ପ୍ରିୟା
ତୋଫା ଗୋରା ଗୋରା ।
ରାଗ ଲାଗେ ପବନକୁ
ବଡ଼ ବେଇମାନି,
ଟାଣି ଦିଏ ଜାଣି ଶୁଣି
ପ୍ରିୟା ଓଢଣୀ ।
ବରଷାର ହାତ ଧରି
କଲି ଗୁହାରୀ,
ଆସନା ଆସନା ଝଡ଼
ସାଥିରେ ଧରି
ପ୍ରିୟା ଯାଉଛି ଡରି ।
ମଜା ଲାଗେ ଝିପିଝିପି ବରଷା ପାଣି
ନାଚିବ ମୋ ପ୍ରିୟା ତାର ଟାଣି ଓଢଣି ।
ଶରତେ ଆରତ କରି ରଖିଛି କଥା
ଶିଶିର ଆଣିବ ପ୍ରିୟା କରିବ ମୁକ୍ତା
ଲାଗିବ ଶିଶିର ଟୋପା ହୀରା ବସେଣି
ଝଲମଲ ଦିଶିବ ମୋ ପ୍ରିୟା ଓଢଣୀ ।
ଶୀତକୁ କରିଛି ମିତ
ମାଘେ ନଆସେ,
ଓଢଣୀ ଘୋଡ଼ଣି କରି
ପ୍ରିୟା ମୋ ହସେ ।
କଅଁଳ ଖରାକୁ କହି କଅଁଳ କଥା
କହିବ ପ୍ରିୟାରେ ଯାଇ ମିଠା ବାରତା
ଶୀତ ଗଲେ ଫଗୁଣରେ ହେବ ଘରଣୀ
ଏବେଠୁ ଅଭ୍ୟାସ କରୁ ଟାଣି ଓଢଣୀ ।
ଫଗୁଣେ ଦେଇଛି ରାଣ
ଆଣିବ ଧରି ,
ଫଗୁ ବୋଳା ରଂଗ ସାଥେ
ପିଚ଼କାରୀ ।
ରଂଗରେ ଗାଧେଇ ପ୍ରିୟା
ହେବ ରଂଗିନୀ ,
ମୁହଁ ଲୁଚେଇବ ପ୍ରିୟା ଧରି ଓଢଣୀ ।
ଚଇତେ ଚରିତ୍ର ଦୋଷ ପାରିଛି ଜାଣି ,
ପ୍ରିୟାକୁ କହିଛି ଯିବ ଓଢଣା ଟାଣି ।
ଜହ୍ନ ରେ ମିଳିଛି ତତେ ମେଘର କାନି
ମୋତେ ତ ମିଳିଛି ମୋର ପ୍ରିୟା ଓଢଣୀ ।

