ପ୍ରେମ
ପ୍ରେମ
ଜନ୍ମ ଓ ମୃତ୍ୟୁ କୁ ବାଦ ଦେଲେ
ପ୍ରେମ ହିଁ ଜୀବନର ମହାର୍ଘ ଅନୁଭୂତି ।
ପ୍ରେମ ସୁଧାମୟ କଳେବର
ପ୍ରେମ ବିନା ସବୁ ନୀରସ ପ୍ରାନ୍ତର।
ମନେ ହୁଏ ଘୋର ମରୁଭୂମି
ଅବା ଅମାରାତି ।
ପ୍ରେମ ବିନା ଫୁଲ ବି ସୌରଭ
ବିହୀନ ଲାଗେ ।
ପ୍ରେମ ଏକ ଅପୂର୍ବ ସଂଯୋଗ,
ଯାହା କବିତା ଭଳି ମଧୁର
ଫୁଲ ଭଳି କୋମଳ
ମାଆ ର ସ୍ପର୍ଶ ଭଳି ଶୀତଳ
ସୁନା ପରି ନିଷ୍କଳଙ୍କ
ଦର୍ପଣ ଭଳି ସ୍ୱଚ୍ଛ ।
ଯାହାକୁ ନେଇ ସୃଷ୍ଟି ହୋଇଛି
ପୃଥିବୀର ସର୍ବାଧିକ ସାହିତ୍ୟ ।
ଅନୁଭଵ ଯେତିକି କରୁଣ,
ସୃଷ୍ଟି ସେତିକି ସ୍ମରଣୀୟ
ଅନୁଭଵ ଯେଉଁଠି ମର୍ମାନ୍ତିକ
ପ୍ରତିଫଳନ ସେଠାରେ ଅମର ।
ସେହି ଅଦେଖା ଯନ୍ତ୍ରଣା ସେହି ଶୁନ୍ୟତା
ସେହି ଅଲେଖା ଅକ୍ଷର
ସେ ଅର୍ଥହୀନ ଅପେକ୍ଷା
କ'ଣ ଭଲ ପାଇବା ? ବୋଧହୁଏ ।
ସ୍ମୃତି କୋଷରେ ସଂଜୀବିତ ରହିଥାଏ
ତାର ପ୍ରତିଟି ଶବ୍ଦ,
ବେଳ ଅବେଳ ରେ ଉଙ୍କିମାରେ
ଅନ୍ଧାରି ଆକାଶ ର ଟିକି ଟିକି ତାରା ପରି ।
ପ୍ରେମ କେବଳ ଉଗ୍ର ନୁହେଁ ଉଦାର ବି ।
ପ୍ରେମରେ ବିଫଳତା ବୋଲି କିଛି ନାହିଁ,
ବିଫଳ ପ୍ରେମ, ଲୁହ ଧୁଆ ମନର
ଆକାଶ ରେ ଯେଉଁ କରୁଣ ଅନୁଭବର
କିରଣ ବୁଣିଦିଏ
ତାହା ସୃଷ୍ଟି କରିଥାଏ ବର୍ଣ୍ଣିଳ ଇନ୍ଦ୍ରଧନୁ ।
ନିବିଡ଼ତା ର ବନ୍ଧନୀ ଭିତରେ
ଭଲ ପାଇବା,
ଆଶା ବିଶ୍ୱାସ ସ୍ୱପ୍ନ ବାସ୍ତବତା କୁ
ସାଉଁଟି ଧରି
ଜୀବନ ସଫଳ କରିବା ଶିଖାଏ ପ୍ରେମ।
ପ୍ରେମର ପ୍ରଥମ ସର୍ତ୍ତ ତାହା ନିସର୍ତ
ପ୍ରେମ ସେଦିନ ଥିଲା ସୃଷ୍ଟିର
ଆଦ୍ୟ ଲଗ୍ନରେ
ପ୍ରେମ ସେଦିନ ଥିଲା
ସୃଷ୍ଟି ର ଇତି ଲଗ୍ନ ରେ
ପ୍ରେମ ହିଁ ଜୀବନର ଉତ୍ସ ପ୍ରେରଣା
ପ୍ରତ୍ୟୟ ଏବଂ ପ୍ରତିଶ୍ରୁତି ।