STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଫୁଲେଇ ଶ୍ରାବଣ

ଫୁଲେଇ ଶ୍ରାବଣ

1 min
68

ଫୁଲେଇ ଶ୍ରାବଣ ଗେହ୍ଲେଇ କମାଣ

       ନିତି ଯାଉ ଉଡ଼ି ଉଡ଼ି

ଅଭିମାନ ତୋର କାହା ଉପରେଲୋ

       ଖୋଲିକହ ମୋ' ଧାଙ୍ଗିଡ଼ି । ୧।

ସବୁଜ ବନାନୀ କାନେ କହିଯାଏ

         ବିରହ ମନର ବ୍ୟଥା  

 ବରଷା ବୁଲୁଛି ଶ୍ରାବଣ ମାସରେ

          ପଚାରି ତୁମରି କଥା ।୨।

ରାତି ବାହୁନୁଛି ସପନରେ ମଜ୍ଜି

          ସ୍ମୃତିକୁ ତକିଆ କରି

ତୁମେ ନାହିଁ ବୋଲି ଋତୁ ହରାଇଛି

      ମାଦକତା ମନ ଭରି ।୩।

ଅନ୍ଧାର ପରେ ବୁଝି ପାରିଲି ମୁଁ

       ଆଲୋକର ଦରକାର

ଆଷାଢ଼ ଶେଷରେ ଜାଣିଗଲି ମୁହିଁ

         ଆଶ୍ରୟର ପରିସର ।୪।

ଏକାନ୍ତ ଜୀବନ ଜଳବିନା ମୀନ

        ତୁମ ପୀରତିର ମୂଲ

ବୁଝି ପାରୁଛି ମୁଁ ଏ ଆକାଶ ଠାରୁ

        ତୁମରି ପଣତ ଭଲ ।୫।

ବିରହ ଅନଳେ ଦାଉ ଦାଉ ଜଳେ

      ଝରେ ଶ୍ରାବଣ ଧାର

ତୁମ ତରୁଲତା ସୁବର୍ଣ୍ଣ ଆଉଟା

      ଆତୁର ମନ ମୟୂର ।୬।

ପଳାସ ରଙ୍ଗରେ ଭିଜା ଓଠ ତୁମ

      ଦୁନିଆ ହାଟରେ କୁହୁ

ବିଧାତା କି ତୋତେ ଯତନେ ଗଢିଛି

       ମହୁଲି ମିଶାଣ ମହୁ,୭।

କଳ୍ପନା ନୟନେ ଭାବୁଛି ଗୋପନେ

   ବାତାୟନ ପାଶେ ବସି

ଚାକିରୀଟା ପରା ବଡ଼ ଦଗାଦିଆ

      ବିଛେଦ କରୁଛି ହସି ।୮।

ହେ ଶ୍ରାବଣ ତୁମେ ଶୁଣିବକି ଥରେ

    ମୋ ଦୁଃଖ ବାରତା ନିଅ

ସଞ୍ଜବତୀ ଘେନି ସତି ସୋହାଗିନୀ

       ଜେନାପୁର ବେଗି ଯାଅ ।୯।

ଶୁଖିଲା ଜାଳତ ଉଦା କରି ଦେଲୁ

       ରାନ୍ଧିବ କେମିତି କ୍ଷୀରୀ

ଜର କାଶ ଥଣ୍ଡା ବଢି ଯାଇଥ୍ବବ

        ନାକରୁ ସିଙ୍ଗାଣି ଝରି ।୧୦।

ବର୍ଷିବୁନି କମା ରୋସେଇ ବେଳରେ

.        ଦୟା କରିବୁଲେ। ଦଣ୍ଡେ

ମୋ ବାରତା ନେବୁ ହେମାଳ ବାଆରେ

         ପଣତ ଉଡେଇ ଖଣ୍ଡେ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy