ଫୋନି ନେଲା ସବୁ ଧୋଇ
ଫୋନି ନେଲା ସବୁ ଧୋଇ
ବଈଶାଖ ମାସ ବାହାଘର ଋତୁ
ଫୋନି କଲା ହଟହଟା
ପୁଅବାଲା ଆଉ ଝିଅବାଲାଙ୍କର
କପାଳଟା ସତେ ଫଟା ।
ବରଯାତ୍ରୀମାନେ ବାଟ ଭାଙ୍ଗି ଗଲେ
ଶୁଭିଲାନି ବାଜା ବାଣ
ବରତ ଭିଜିଲା କନିଆ ଭିଜିଲା
ବରଷା ହୋଇଲା ଟାଣ ।
ଭୋଜିଭାତରେ ତ ପାଣିପସିଗଲା
ସାଜସଜ୍ଜା ଗଲା ଧୋଇ
ଭୋକିଲା ପେଟରେ କୁଣିଆ ଫେରିଲେ
ମଣ୍ଡପ ପାଖକୁ ଯାଇ ।
ଭାଙ୍ଗିଗଲା ବେଦୀ ମୁକୁଳା ମଣ୍ଡପ
ଜଳିଲାନି ସାତଦୀପ
ରହିହେଲା ନାହିଁ ସହି ହେଲାନାହିଁ
ଅଦିନିଆ ମେଘ କୋପ ।
ତରତର ହୋଇ ମନ୍ତ୍ର ପଢି ନନା
ସାରିଦେଲେ ବାହାଘର
ରାତି ଥାଉଁଥାଉଁ ବର କନିଆ ତ
ବାହୁଡିଲେ ନିଜ ଘର ।
ରାତି ପାହିଥିଲେ ଫେରିବା ପାଇଁକି
ବାଟତ ନଥାନ୍ତା କାହିଁ
ଝଡତୋଫାନରେ ବାଟସାରା ସବୁ
ଗଛ ପଡିଥିଲେ ଶୋଇ ।
ଜୀବନରେ ଥରେ ବାହାଘର ମଜା
ବର କନିଆଙ୍କ ପାଇଁ
କେତେ ଆଶା କେତେ ସପନକୁ ସବୁ
ଫୋନି ଆସି ନେଲା ଧୋଇ ।
