ପଡିବାନି ଆମେ ଭ୍ରମେ
ପଡିବାନି ଆମେ ଭ୍ରମେ
ଜନ ଜୀବନକୁ ପ୍ରଭାବିତ କରେ
ସଭ୍ୟତା ଆଧୁନିକ
ବଦଳି ଯାଇଛି ଚଳଣିର ଚିତ୍ର
ବେଶ ତାର ରୂପ ଭେକ ।।
ସକାଳୁ ଉଠିଲେ ଖାଉଥିଲୁ ଆମେ
କ୍ଷୀର ଦହି ଚୁଡ଼ା ମୁଢି
ଏବେ ପିଲା ଖୋଜେ ପିଜା ଚାଓମିନ୍
ମ୍ଯାଗି ସସ୍ ପକୁଡ଼ି ।।
ପାଠ ପଢା ସାରି ଖେଳୁଥିଲୁ ଆମେ
କେତେ ପ୍ରଜାପତି ଧରି
ପ୍ରକୃତିକୁ ସିଏ ବୁଝେ ନାହିଁ ଆଜି
କମ୍ପ୍ଯୁଟର ସାଥୀ କରି ।।
ଜନମ ଦିନରେ କ୍ଷୀରି ପିଠା ସହ
ଦୀପ ଜାଳୁଥିଲୁ ମନ୍ଦିରେ
ଏବେ ଫୁଙ୍କେ ସିଏ ମହମବତୀ ତ
କେକ୍ କାଟେ ସରାଗରେ।।
ବଦଳି ଯାଇଛି ଭୌଗଳିକ ଚିତ୍ର
ବଦଳିଛି ଗାଁ ଘର
ମାଟି ଅଗଣାଟା କଂକ୍ରିଟ୍ ହୋଇଛି
ନାହିଁ ଯୌଥ ପରିବାର ।।
ସପନ ହୋଇଛି ସ୍ନେହ ପ୍ରେମ ଡୋର
ଦୁଆରେ କବାଟ ପଡିଛି
ସହରୀ ସଭ୍ଯତା ବାଇଆ କରିଛି
ହାଲୋ ହାଏ ସିଏ କହୁଛି ।।
ନମସ୍କାର କରେ ଗୁରୁଜନଙ୍କୁ ସେ
ମଥା ଜମା ନୁଏଁ ନାହିଁ
ଛାତ୍ର ବି ଭୂଲିଛି ଶିକ୍ଷକଙ୍କୁ ଆଜି
ଦେଖିଲେ ଆଡେଇ ଯାଇ ।।
ଭୂଲିଛି ଆଜି ସେ ପୂର୍ବର ସଂସ୍କାର
ଭାବେ କେତେ ପାଠ ପଢିଛି
ଚାକିରୀ କରି ସେ ମହାନ୍ ଭାବୁଛି
ଗାଁ ପରିଜନ ଭୂଲିଛି ।।
ବୁଢୀମା କହୁଛି ଏ କି କାଳ ହେଲା
ଝିଅଟା ସଣ୍ଠଣା ଶିଖୁନି
ଶାଶୁ କରେ ଆଜି ଯାବତୀୟ କାମ
ବୋହୁ ତାର ଧାର ଧରୁନି ।।
ବେଶ ପୋଷାକକୁ ପ୍ରାଧାନ୍ୟ ଦିଏ ସେ
ଅନ୍ତର ଦରଜା ଖୋଲୁନି
ଉପରର ରଙ୍ଗ ବଦଳୁଛି ସିନା
ପ୍ରକୃତି ଟା ବଦଳୁନି ।।
ଓଡିଆ ସଂସ୍କୃତି ଆମ ମୌଳିକତା
ଆମେ କେବେ ଭୂଲିବାନି
ପୁରୁଣା ଧରିବା ନୂଆ ବି ଗଢିବା
ଅବିବେକୀ କେବେ ହେବାନି ।।
ପରିବେଶ ନିଶ୍ଚେ ବଦଳି ଯିବ ତ
ବିବର୍ତ୍ତନର ନିୟମେ
ବିବର୍ତ୍ତିତ ଏଇ ପୃଥିବୀ ଧାରାରେ
ପଡିବାନି ଆମେ ଭ୍ରମେ ।।