ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ଦେଖିଛି ମୁଁ ଦିନେ ପ୍ରକୃତିକୁ ପାଇ
ଥିଲା ଦିନେ ମୋର ପାଶେ,
ସେ ପବନ ନଈ ବୁଦା କ୍ଷେତ ମାଲା
ଆଖି ଆଗରେ ଝଳସେ ।
ନ ଥିଲା ମନରେ ଭୟ ହିଂସା ଲୋଭ
ଦେଖି ଲାଗୁଥିଲା ପ୍ରିୟ,
କୁନିକୁନି ସ୍ଵପ୍ନ ପ୍ରତିଛାୟା ଦେଖି
ଲାଗୁଥିଲା ପ୍ରୀତିମୟ ।
କେତେ ସାଙ୍ଗସାଥି ପାଖରୁ ଦେଖିଛି
ସମୟକୁ ପାଖେ ରଖି ,
ଆତ୍ମ ବିଭୋର ମୋ ନିର୍ମଳ ମନଟି
ଆଜି ବି ପାରୁଛି ଦେଖି ।
ବରଗଛ ମୂଳେ ଦୋଲି ଖେଳିବାକୁ
ଲାଗୁଅଛି ଆଜି ମନ,
ଶଗଡ଼ ଦଣ୍ଡାରେ ବସି ଖେଳିବାକୁ
ସତେ ଲାଗୁଛି ଉଚ୍ଛନ୍ନ ।
ଲମ୍ବା ହିଡ଼ ଦେଖି ଡିଆଁ ମାରିବାକୁ
ଯାଉଥିଲୁ ସାଥି ମେଲେ,
ମାଛରଙ୍କା ପରି ପହଁରିଛୁ କେତେ
ପୋଖରୀର ସେଇ ଜଳେ ।
ବିତି ଯାଇଅଛି ସେ ଅଭୁଲା ସ୍ମୃତି
ମନ ଖୋଜେ ତାକୁ ଚାହିଁ,
ସେ ସମୟ ଆଉ ପିଲାଦିନ କଥା
ଖୋଜିଲେ ମିଳିବ ନାହିଁ ।
