STORYMIRROR

Bhakta Malla

Inspirational

2  

Bhakta Malla

Inspirational

ମୁଗ୍ଧ ଏକ ଅନୁଭବ

ମୁଗ୍ଧ ଏକ ଅନୁଭବ

1 min
13.6K


ମୁଗ୍ଧ ଏକ ଅନୁଭବକୁ ଜୀବନେ କରି ପୁଞ୍ଜି

ଅଗ୍ରସର ହେଲି ମୁଁ ଯେବେ, ବାହିବି ମୋର ପୋତ

ଦେଖିଲି ମୋର ଅନ୍ତରାଳେ- ପରମ୍ପରାର ମଂଜି,

ଉଭା ହୋଇଛି ଅଗ୍ରଭାଗେ, ଓଗାଳି ମୋର ପଥ ।।

କାକୁତି କରି କହିଲି କେତେ - ତଳେଇ ମୋର ମଥା

ତଥାପି ସିଏ ଠାଣିରେ ଠିଆ , ସ୍ଥିର ଅବିଚଳ -

ବୁଝିବା ତ' ଦୂର ସପନ, ଶୁଣିଲା ନାହିଁ କଥା

ପୁରା- ସ୍ଥିତିରେ ସୁଦୃଢ ସିଏ, ନୂତନେ ଅସମ୍ଭାଳ ।।

ଭାବିଲି ମନେ, ଅନ୍ଧକାରେ ରହିବା କେତେ ଯୁଗ

ଅଶିକ୍ଷାର ନଗ୍ନ ନୃତ୍ୟ ଯେଉଁଠି ମନ ଘେରେ,

ଯେଉଁଠି ନାହିଁ ସ୍ବାଧିନ ମନ, ମୁକ୍ତ ଅନୁଭବ

ଜୀବନ ଯହିଁ ଦୁର୍ବିସହ- ଯନ୍ତ୍ରଣାରେ ଘାରେ ।।

ଜାତି ବାଦର କଳା ବାଦଲ ଯାଇଛି ଯହିଁ ଛାଇ

ଲୋଭ ରାବଣ ଲୋଲୁପ ଆଖି ଜଳୁଛି ହୁତାଶନ-

ସଂପ୍ରୀତିର ଦିବ୍ୟ ଝର ଶୁଷ୍କ ମରୁ ହୋଇ,

କାଠଗଡାର ଅର୍ଗଳିରେ ବନ୍ଧା ଚିରନ୍ତନ ।।

ବ୍ୟଭିଚାରର ବିଭତ୍ସ ରୂପ ବିଶାଳ କରି କାୟା

ସଂଚରି ଯାଏ ସାରା ବିଶ୍ବକୁ ଫୁଲେଇ ତାର ହିଆ,

ବିଚାର ବୁଦ୍ଧି ଯାଇଛି ହଜି, ବ୍ୟବସ୍ଥା ପଥ ଭ୍ରଷ୍ଟ

ଶିଷ୍ଟାଚାରର ରୁଦ୍ଧ ଦ୍ବାରେ ଗର୍ଜ୍ଜନ କରେ ଦୁଷ୍ଟ ।।

ସଂତ୍ରାସର କମାଣ ଫୁଟେ ଧର୍ମ ଛାତି ଚିରି

ଅଶାନ୍ତିର ବହ୍ନି ଜଳେ ଶାନ୍ତି ତପୋବନେ -

ମାନବ ବାଦ ଭଉଁରି ଖେଳେ ଚକ୍ରବାତ ପରି,

ବିବେକ ଲୁଚେ ଅନ୍ତପୁରେ ଲଜ୍ଜା ଅପମାନେ ।।

ବିପ୍ଳବର ନୂଆ ଉନ୍ମେଷ ଜାଗିଲା ମନ ତଳେ

ବଜ୍ର କଣ୍ଠେ ଘୋଷଣା କଲା ଚାଲିବ ଏହି ପୋତ

ଦୂରେ ହଟିବ ଅନ୍ଧକାର ଆତ୍ମାଲୋକ ବଳେ-

ମାନବ ବାଦର ଜୈତ୍ର ବାନା ଉଡିବ ଅବିରତ ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ ।

8th August 2017.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational