ମୋ ମା ସେଇ ଶେଷ ପିଢ଼ିର
ମୋ ମା ସେଇ ଶେଷ ପିଢ଼ିର
ମୋ ମା ସେଇ ଶେଷ ପିଢ଼ିର
ଯିଏ ତା ପଣତ କାନିରେ ଆଜିବି ମୋ ମୁଁହ ପୋଛିଦିଏ,
ଆଜିବି ମୁଁ ତା ପାଖରେ ଥକି ବସିପଡିଲେ
ତାର ସ୍ନେହ ଭରା ହାତରେ ମୋ ମୁଣ୍ଡକୁ ଆଉଁସି ଦିଏ ।
ମୋ ମା ସେଇ ଶେଷ ପିଢ଼ିର
ଯାହାକୁ ଆଜିବି ନାନା ବାୟା ଗୀତ ଆସେ
ଆଉ ମୋବାଇଲ୍ ର ଜୋକ୍ ଠୁ ଅଧିକା
ମୋର ସେଇ ମୂଲ୍ୟହୀନ କଥାଗୁଡ଼ାକୁ ନେଇ ହସେ ।
ମୋ ମା ସେଇ ଶେଷ ପିଢ଼ିର
ଯିଏ ନିଜେ କିଛି ଖାଏ କି ନ ଖାଏ,
କିନ୍ତୁ ତାର ସବୁ ସମୟ ତ
ମୋର ଖାଇବା ପିଇବା ର ଚିନ୍ତାରେ ହିଁ ଯାଏ ।
ମୋ ମା ସେଇ ଶେଷ ପିଢ଼ିର
ଯିଏ ଆଜିବି ମୋ ବାପାଙ୍କ ନାମ ତା ପାଟିରେ ନେଇନି,
ଘରେ ତାକୁ କେତେ କଷ୍ଟ ହଉନା କାହିଁକି
କେବେ ସେ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିନି ।
ମୋ ମା ସେଇ ଶେଷ ପିଢ଼ିର
ଯାହାର ମନ ପାଉଡର ଅତର ଆଉ ମେକଅପ୍ ରେ ନଥାଏ,
ଆଜିବି ସେ ସଜେଇ ହେବାପାଇଁ
ମଥାକୁ ସିନ୍ଦୂର, ପାଦକୁ ଅଳତା, ହାତକୁ ଦିମୁଠା ଚୁଡ଼ି ହିଁ ଚାହେଁ ।
ମୋ ମା ସେଇ ଶେଷ ପିଢ଼ିର
ଯିଏ ଆଜିବି କୋଉ ଦାମୀ ଶାଢ଼ୀ ଆଉ ଗହଣାରେ ଲୋଭ କରିନି
ବାପାଙ୍କ ଠାରୁ ଲୁଗା ଖଣ୍ଡେ ବ୍ୟତୀତ
ସିଏ ଆଉ କେବେ କୌଣସି ଜିନିଷ ପାଈଁ ଜିଦ୍ ଧରିନି ।
ମୋ ମା ସେଇ ଶେଷ ପିଢ଼ିର
ଯିଏ ଆଜିବି ଅଗଣାରେ ତୁଳସୀ ଗଛ ଲଗାଇ ପୂଜା କରେ
ଆଉ ସେଇ ଗଛ ମୂଳରେ ପାଣି ଦଉ ଦଉ
ନିଜକୁ ଛାଡି ପୁରା ପରିବାର ର ମଙ୍ଗଳ କାମନା କରେ ।
ମୋ ମା ସେଇ ଶେଷ ପିଢ଼ିର
ଯିଏ ନିଜ ପରିବାର ପାଈଁ ସବୁକିଛି କରିପାରେ
କେବେ ମା, କେବେ ମିତ୍ର ତ କେବେ ଗୁରୁ ହୁଏ
ଆବଶ୍ୟକ ପଡିଲେ ଉଗ୍ର ରୂପ ଧରି ଦୁନିଆ ସହ ବି ଲଢ଼ିପାରେ ।
ମୋ ମା ସେଇ ଶେଷ ପିଢ଼ିର ......
