ମୋ ଗାଁ
ମୋ ଗାଁ


ଧୂଳିରେ ଗୋଳେଇ ରଖିଛି ମୋ ଗାଁ
ଭରଣ ଭରଣ ହସ,
କେବେ କ୍ଷୀର କେବେ ଘିଅ ମହୁ ଦେଇ
ମେଣ୍ଟେଇ ଦିଏ ସେ ଶୋଷ ।
ବାଉଁଶ ପତର ସିଶାରି ଦେଲେଲୋ
ଚନ୍ଦନ ମହକ ହୁଏ,
ପଖାଳ କଂସାରେ ଏ ପିଣ୍ଡ ପରାଣ
ଅବଢ଼ା ପଚାରେ କିଏ ?
ତପନେଶ୍ୱରଙ୍କ ମନ୍ଦିର ଦୁଆରେ
ମାଟି ଦୀପ ଦେଲେ ଜାଳି,
ପୁରୀ ବାରଣାସୀ ବାଟଚଲା ପୂଣ୍ୟ
ଏକା ଥରେ ଯାଏ ମିଳି ।
ଗାଁ ମଶାଣୀର ଟାଆଁସା ମାଟିରୁ
ଦି'ହାତ କିଣିଛି ଯିଏ,
ସରଗ ଦୁଆର ଅବା ଗଙ୍ଗାକୂଳ
କହ କିଆଁ ଯିବ ସିଏ?
ଋତୁମତୀ ନଈ ଗରଭିଣୀ କ୍ଷେତ
କିଆ କୁରେଇର ବାସ,
ପଥିକର ଛାଇ ରେବ ନଈ କୂଳେ
ଅଭିଆଡି ବରଗଛ ।
ପୁବେଇ ପବନେ ଆମ୍ବ ବଉଳର
ମୁରୁକି ମୁରୁକି ହସ,
ଗାଁ ଯାତରାରେ ଗୋବରା କକାର
ପାଗବନ୍ଧା ରାଜା ବେଶ ।<
/p>
କେନ୍ଦରା ବଜାଇ ଗାଁ ମଝିଟାରେ
ଯୋଗୀପୁଅ ଗୀତ ଗାଏ,
ସରୁଲାଜ ଟାଣି କୋଣ ଭୁଆସୁଣୀ
ଦରଜା ଫାଙ୍କରୁ ଚାହେଁ ।
କଙ୍କୀ ଧରିବାକୁ ସାହି ପିଲାଙ୍କର
ମଅଠ ମଅଠ ଚାଲି,
ସାରୁ ପତରରୁ ହୁରୁଡା କଙ୍କୀଟା
ଝଅଟ ଯାଉଛି ଉଡ଼ି ।
ଧୂଳିଆ ଦାଣ୍ଡରେ ଦୁବ ନୂଆବୋଉ
ମାଘ ମଗୁଶିର ମାସେ,
କାକର ଝୁମୁକା କାକର ଝୁଣ୍ଟିଆ
ପିନ୍ଧି ଖିଲି ଖିଲି ହସେ ।
ଅଳସୀ ଆଷାଢ଼ ଓଳି ପାଣି ସୁଅ
ସତେ ସରୁ ନଈ ଧାରା,
କଷି ସପନକୁ କାଗଜ ଡଙ୍ଗାରେ
ଭସେଇ ନେଇଛି ପରା ।
ବଡ଼ ହେଲା ପରେ ସେ କଷି ସପନ
ମନେ ପଡେ ବେଶୀ ବେଶୀ,
ବଢ଼ିଲା ବୟସ ସ୍ମୃତିରେ ସେ ଡଙ୍ଗା
କେବେ କେବେ ଆସେ ଭାସି ।
ଏତେ ସୁଖ ଥାଇ ଯେଉଁ ମଣିଷଟା
ଗାଁ ଗୋହିରୀକୁ ଭୂଲେ,
ପୂରୁବ-ସୁରୁଜ ଦେଖିବା ପାଇଁକି
ପଶ୍ଚିମ ଦରଜା ଖୋଲେ ?