STORYMIRROR

Soumyaranjan Nayak

Abstract Classics Inspirational

4  

Soumyaranjan Nayak

Abstract Classics Inspirational

ଛାଡ଼ିଲ କି କିଛି ପଛରେ ?

ଛାଡ଼ିଲ କି କିଛି ପଛରେ ?

1 min
247


ଡାକରା ଆସିଲେ  ଯିବାକୁ ପଡିବ 

    କିଛି ନେବାନାହିଁ ସାଙ୍ଗରେ, 

ମମତା ର ଡୋର  ଛିଡିଯିବ ଦିନେ 

    ସବୁ ରହିଯିବ ପଛରେ। 


ଆୟା ପାଖେ ଛାଡ଼ି  କଅଁଳା ଶିଶୁ କୁ 

    ମାଆ ଅଫିସକୁ ଯେବେ ବାହାରେ, 

ପଚାରଇ ଆୟା   ସବୁ ନେଇଛତ 

    ଛାଡିନାହଁ କିଛି ପଛରେ?

ଯାହା ପାଇଁ ଖଟି  ରୋଜଗାର କରେ 

      ତାକୁତ ଛାଡିଲି ପଛରେ, 

ଚାବି ଆଉ ପର୍ସ   ମୋବାଇଲ ଫୋନ 

     ଏସବୁ କୁ କିଏ ପଚାରେ।


ଝିଅ ବାହାଘର   ସାରି କନ୍ୟାପିତା 

    ମଣ୍ଡପ ଛାଡିବା ବେଳରେ, 

ଭଉଣୀ ପଚାରେ   ଦେଖିନିଅ ଭାଇ 

     ଛାଡିଲ କି କିଛି ପଛରେ?

ବାପା ଭାବୁଥାଏ   ଝିଅ ଚାଲିଗଲା 

    ବନ୍ଧନ ରହିଲା ପଛରେ, 

ବାକି ଯଦି କିଛି   ଜିନିଷ ରହିଲା 

    ମୂଲ୍ୟହୀନ ଝିଅ ଆଗରେ। 


ଅବସର ଦିନ   ସମ୍ବର୍ଦ୍ଧନା ପରେ 

    ପିଅନଟା ଆସି ପଚାରେ, 

ଟେବୁଲ ଡ୍ରୟର   ଦେଖିଦ୍ୟନ୍ତୁ ସାର୍

    ରହିଲାକି କିଛି ପଛରେ?

ସାର୍ ଭାବୁଥାନ୍ତି   ପଚିଶ ବରଷ 

    ସ୍ମୃତି ରହିଗଲା ପଛରେ, 

ଡାଏରୀ କଲମ  ଚଷମାର ଖୋଳ 

    ଏସବୁକୁ କିଏ ପଚାରେ। 


ପୁଅ ପାଠ ପଢି   ଚାକିରୀ କରିଲା 

    ରହିଲା ଆମେରିକାରେ, 

ବିଦେଶିନୀ ଝିଅ  ବାହା ହୋଇଗଲା 

    ରାଜି ହୋଇ ନିଜ ଇଚ୍ଛାରେ। 

ନାତି ଦେଖିବାକୁ   ଆମେରିକା ଗଲେ 

     ବୁଢ଼ାବୁଢ଼ୀ ଦୁହେଁ ପ୍ଲେନରେ, 

ପୁଅ ପଚାରୁଛି   ଫେରିବା ବେଳରେ 

     କିଛି ଛାଡିଲ କି ପଛରେ?

ସାରା ଜୀବନର   ଅର୍ଜିଥିବା ଧନ 

    ପୁଅ ରହିଗଲା ପଛରେ, 

ସାର୍ଟ ପେଣ୍ଟ ଆଉ   ଧୋତି ଓ ଗାମୁଛା 

     ଏସବୁ କୁ କିଏ ପଚାରେ। 


ବାପାଙ୍କର ଶବ    ଦାହ କରିସାରି 

     ଘରକୁ ଫେରିବା ବେଳରେ, 

ଲେଉଟି ଆସଇ    ଯୁଇ ର ପାଖକୁ 

    ପୁଅ ଲୁହ ନେଇ ଆଖିରେ ।

ପଚାରଇ ସାଙ୍ଗ    ଛାଡିଲୁକି କିଛି 

       କିଛି ରହିଗଲା ପଛରେ ?

ସବୁ ଚାଲିଗଲା    ବାପାଙ୍କ ସାଥିରେ 

    ରହିଗଲା ସ୍ମୃତି ମନରେ। 


ଏବେବି ସମୟ   ରହିଛି ହାତରେ 

     ବାନ୍ଧ ସ୍ନେହ ପ୍ରେମ ରଜ୍ଜୁରେ, 

କିଏ ଜାଣେ କେବେ  ଯିବାକୁ ପଡିବ 

    ସବୁ ଛାଡିଦେଇ ପଛରେ।  

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract