STORYMIRROR

SATYASUNDAR PARIDA

Abstract

3  

SATYASUNDAR PARIDA

Abstract

ମୋ ବାପା

ମୋ ବାପା

1 min
11.8K

ବାପା..... 

ମୋ ଜୀବନ ବର୍ଣ୍ଣବୋଧର 

ଅବୋଧ୍ୟ ଶବ୍ଦଟିଏ, 

ବହୁବାର କରିଛି ମୁଁ 

ସଂଶ୍ଳେଷଣ ଓ ବିଶ୍ଳେଷଣ 

ସେଇ ବିଶେଷ୍ୟର, 

ଜନ୍ମଦାତା, ପାଳନକର୍ତ୍ତା, 

ହର୍ତ୍ତା, କର୍ତ୍ତା, ଭାଗ୍ୟବିଧାତା ...

ଏମିତି କେତେ କ'ଣ... 

କେବେବି ବୁଝିଛି.... 

ଦୀପ ପରି ଜଳୁଥିବା 

ସ୍ବାଭିମାନର ସ୍ୱର ଟିଏ, 

ପ୍ରଚଣ୍ଡ ଆଦର୍ଶର 

ଅଚଳ ମହାମେରୁ ଟିଏ, 

ଅବ୍ୟକ୍ତ ବେଦନାର 

ଅଥଳ ସାଗର ଟିଏ, 

ନିସ୍ତବ୍ଧ ବେଳାଭୂମିର 

ନୀରବିଯାଇଥିବା ବତୀଘର ଟିଏ, 

ଦେଖିବାକୁ ଯିଏ 

କେବେ ଦେଇନି 

ତା'ର ଲୁହ ଲହୁର 

ଜୀବନ ସଂଗ୍ରାମ, 

ସବୁଦିନ ସବୁବେଳେ 

ତା' ମୁହଁରେ ଖେଳେ 

ଆତ୍ମତୃପ୍ତିର ହସଟିଏ ।।


ବାପା ....

ଆଜି ମୁଁ ବାପା ହେଲାପରେ 

ମର୍ମେ ମର୍ମେ ଅନୁଭବ କରେ 

ଅଦୃଶ୍ୟ ସ୍ନେହଶିକ୍ତ 

ତୁମର ସେ ଆକଟକୁ, 

ନିଷ୍ଠୁର ବାସ୍ତବତାଭରା 

ତୁମର ସଂସ୍କାରି କଥାକୁ, 

ବଜ୍ରପରି ଦୃଢ ତୁମ 

ଧୈର୍ଯ୍ୟ ଓ ଆତ୍ମବିଶ୍ବାସକୁ, 

ଆକାଶଠାରୁ ବିଶାଳ 

ତୁମର ସହନଶୀଳତାକୁ, 

ଜ୍ୟୋତ୍ସ୍ନାଠାରୁ ଶୀତଳ 

ତୁମ ଦେହର ଆଶ୍ଳେଷକୁ, 

ସାଗରଠାରୁ ଗଭୀର 

ତୁମର ଉଦାରତାକୁ, 

ପୂଣ୍ୟଶ୍ଳୋକ ତୁମେ 

ମୂର୍ତ୍ତିମନ୍ତ ଛବିଟିଏ 

ତ୍ୟାଗ ଓ ବଳିଦାନର  ।।


ବାପା..... 

ଆଜିସିନା ତୁମେ ନାହଁ 

ଚାଲିବାକୁ ମୋ ହାତଧରି, 

ମୁଁ କିନ୍ତୁ ଥକିନାହିଁ 

ଥକିବି ବି ନାହିଁ, 

ତୁମ ଆଦର୍ଶକୁ ପାଥେୟକରି 

ଚଢିଚାଲିଛି ଜୀବନର ସିଡ଼ି, 

ସାଥେଅଛି ତୁମର ସେ 

ବିଶ୍ୱାସର ଆଶାବାଡ଼ି, 

ରହିଗଲା କିନ୍ତୁ.... 

ଗୋଟିଏ ମାତ୍ର ଅବଶୋଷ 

ଶେଷ ଜୀବନରେ 

ପାରିଲିନି ତୁମକଥା ବୁଝି, 

ସେଇ ଶେଷ ଅଳି ଅର୍ଦ୍ଦଳିକୁ 

ଯାହାପରେ ନୀରବିଲ ତମେ 

ଲାଦାଖ୍ ର ବରଫ ଚଟାଣପରି ।।

ଆଜି କିନ୍ତୁ ଭାରି ଇଚ୍ଛାହୁଏ 

ଆଉଥରେ ତୁମକୋଳେ 

ଝୁଲିବାକୁ, ଖେଳିବାକୁ, 

ପୋଛିବାକୁ ତୁମସେଇ 

ଝାଳୁଆ ଦେହକୁ, 

ତୁମ ସାଇକେଲରେ ବସି 

ମେଳାବୁଲି ଦେଖିବାକୁ, 

ତୁମ କାନମୋଡା 

 ଟିକେ ଖାଇବାକୁ, 

ବାଧ୍ୟ ସନ୍ତାନଟିଏ ହୋଇ 

ତୁମ ଋଣଟିକେ ସୁଝିବାକୁ ।।


ହେ ମହାବାହୁ... 

ପୁନର୍ଜନ୍ମ ଯଦି ଏଠି ସତ୍ୟ 

ଆଶୀର୍ବାଦ ଦିଅ ଥରେ 

ମୋ ପାପରୁ କିଛି ବାକିରଖ 

ଆର ଜନ୍ମେ ପ୍ରାୟଶ୍ଚିତ ପାଇଁ 

ଜନ୍ମଦିଅ ତାଙ୍କରି କୋଳରେ 

ସେବାକରି ଯେମିତି ମୁଁ 

ଟିକେ ଋଣ ସୁଝିପାରେ... 

ଆତ୍ମତୃପ୍ତି ଲାଭ କରିପାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract