ମନରେ ଆସୁ ମୋ ଶୁଦ୍ଧ ଭାବନା
ମନରେ ଆସୁ ମୋ ଶୁଦ୍ଧ ଭାବନା


ସୁନ୍ଦର ମଧୁମୟ ଏ ସାରା ସଂସାର
ବିଧାତା କରିଛନ୍ତି ଅନୁପମ ସର୍ଜନା
ହସ ଖୁସିରେ ଦିନ କାଟିବେ ସଚରାଚର
ନ ଆସିବ କିଛି କ୍ଳେଶର ଯାତନା
ସାରା ସୃଷ୍ଟିରେ ମଣିଷ ଶ୍ରେଷ୍ଠ ପ୍ରାଣୀ
ଜୀବନ ନିର୍ବାହ କରେ କରି ଉତ୍ତମ ବିଚାର
ମନେ ପ୍ରାଣେ ପ୍ରଭୁ ଦେଇଛନ୍ତି ଚେତନା
କରେ ସେ ଅନର୍ଥ ଭୋଗେ ନାନା ଯନ୍ତ୍ରଣା
ଲୋଭ ମୋହ ମାୟା କରେ କବଳିତ
ଦେଇ ଚାଲେ ସେ ନିଜକୁ ପ୍ରତାରଣା
ପାର୍ଥିବ ବିଭବ ଆଶାରେ କରେ ପ୍ରବଞ୍ଚନା
ପାଇବାକୁ ସାତ୍ତ୍ୱିକ ପରମ ସୁଖ ଶାନ୍ତି
ମନରେ ଆସୁ ମୋ ଶୁଦ୍ଧ ଭାବନା
ଏ ମନର ମୂଳରେ ହିଁ ରହିଛି ଜଗତ
ଭାବ ଭାବନା ଚିନ୍ତନରୁ ଆସେ କାମନା
କଠିନ ପରିଶ୍ରମ କରିବାକୁ କରେ କୁଣ୍ଠା
ପାଳେ ନାହିଁ ସେ ସତ୍ୟ ନ୍ୟାୟ ଧର୍ମର ନିଷ୍ଠା
ମନରେ ବସା ବାନ୍ଧେ ନାନା ବିକାର<
/p>
ଯା'ର ଫଳ ସ୍ଵରୂପ ଦେଖା ଦିଏ ବିଡ଼ମ୍ବନା
ଭାବନାର ଭ୍ରମରେ ହୁଏ ବିଚଳିତ
ସହଜ ସୁବିଧାରେ ଖୋଜେ ଐଶ୍ୱର୍ଯ୍ୟ
ଜ୍ଞାନ ଠାରୁ ଧନକୁ ଦିଏ ଅଧିକ ପ୍ରାଧାନ୍ୟ
କରେ ଅବାନ୍ତର ଅନୁଚିତ ଉଦ୍ଭଟ କଳ୍ପନା
ଇନ୍ଦ୍ରିୟ ଲାଳସାରେ ପଡ଼େ ଷଡ଼ରିପୁ ଫାସେ
କଳୁଷିତ ହୁଏ ବିଚାର ଧ୍ୟାନ ଧାରଣା
ଅସତ୍ କର୍ମର ପାଏ ଅବାଞ୍ଛିତ ଫଳ ସବୁ
ପାଇବାକୁ ନିସ୍ତାର ପୁଣି କରେ କୁମନ୍ତ୍ରଣା
ନ ଆସିବା ଯାଏଁ ପବିତ୍ର ଶୁଦ୍ଧ ଭାବନା
ସଂସାରରେ ମିଳିବ ନାହିଁ ପ୍ରକୃତ ସୁଖ ଶାନ୍ତି
ଶାସ୍ତ୍ର ପୁରାଣରେ କରା ଯାଇଛି ତା' ବର୍ଣ୍ଣନା
ରହି ସଦା ସଜାଗ ଜାଗ୍ରତ କରେ ପ୍ରାର୍ଥନା
ମହାପ୍ରଭୁ ପରମ ଦୟାଳୁ କରନ୍ତୁ କରୁଣା
ମନରେ ଆସୁ ମୋ ଶୁଦ୍ଧ ଭାବନା...।