ମହତପଣିଆ
ମହତପଣିଆ
ସୁଖ ଦୁଃଖ ଭରା ଜୀବନ ପଥ ରେ
କେବେ ଥକି ଯିବା ନାହିଁ
ଯେତେ ଝଡ ଝଞ୍ଜା ଆସୁ ସେଇ ପଥେ
ଆଗକୁ ଚାଲିବା ଡେଇଁ ।
ଦୁଃଖ ବେଳେ ଯିଏ ଭାଙ୍ଗି ପଡ଼ିଥାଏ
ସେ କି ମଣିଷ ରେ ଗଣା?
ସଫଳତା ବାଟ ଭୁଲି ଯାଇ ଥାଏ
ଅଧା ବାଟେ ବାଟ ବଣା ।
ବାଳୁତ ଶିଶୁ ଟି ପଡିଗଲେ ତଳେ
ନିଜେ ନିଜେ ଉଠିଥାଏ
ଜୀବନ ରେ ଆମ ଉତ୍ଥାନ ପତନ
ସେହି ପରି ଆସୁଥାଏ ।
ପିତା ମାତା ଆଉ ବିଭୁ ଙ୍କ ଆଶିଷେ
ପଙ୍ଗୁ ଲଙ୍ଗି ଯାଏ ଗିରି
ଭବ ସାଗର ରେ ଭାବ ର ଠାକୁର
କରୁଥାନ୍ତି ସଦା ପାରି ।
ସାତ ଜନମ ର ପୁଣ୍ୟ କର୍ମଫଳେ
ମାନବ ଜୀବନ ପାଇ
ମାନବିକତା କୁ ବଜାୟ ରଖିଲେ
ମୁକତି ଲଭିବା ତହିଁ ।
ସତ୍ୟ, ଶାନ୍ତି, ଦୟା, କ୍ଷମା ଆଚରିଲେ
ହୃଦୟ ହୁଏ ବିସ୍ତାର
ମାନବ ସେବା ହିଁ ମାଧବ ର ସେବା
ପାପ ରୁ ହେବା ନିସ୍ତାର ।
ଭୁଲିବା ନାହିଁ ତ ଜୀବନ ରେ କେବେ
ସାଧୁ ସନ୍ଥଙ୍କର ବାଣୀ
ପର ହିତ ପାଇଁ ଜୀବନ ଜିଇଁଲେ
ସବୁ ହୃଦ ଯିବା ଜିଣି ।।
