ମାଟି ଆଜି ହସୁଛି
ମାଟି ଆଜି ହସୁଛି
ସଂସାରଟା ଆଜି କାହିକିଁ କେଜାଣି
ନୂଆ ନୂଆ ମୋତେ ଲାଗୁଛି
ମଣିଷ ହାଟରେ କାଉ କୋଇଲିଙ୍କ
ସୁମଧୁର ସ୍ଵର ଶୁଭୁଛି l୧l
ଓଡ଼ିଆ କୁଟୀର ଶଙ୍ଖ ହୁଳହୁଳି
ଘଣ୍ଟଘଣ୍ଟା ନାଦେ କମ୍ପୁଛି
ପ୍ରତି ଘରେ ଆଜି ଧୂପ ଦୀପ ଝୁଣା
ମହମହ ହୋଇ ବlସୁଛି l୨l
ଗାଁ ଗଣ୍ଡା ଥିଲା ଶିରୀହୀନ ହୋଇ
ଲୋକ ଗହଳିରେ ଫlଟୁଛି
ନାକ ଟେକୁଥିବା ରଥି ମହାରଥୀ
ଗାଁ ରେ ଶରଣ ପଶିଛି l୩l
ବାପା ମାଆଙ୍କର ଆଖି ଲୁହ ବୋଧେ
ଦେବ ଦରବାରେ ପଡିଛି
ସଭିଙ୍କୁ ଏକାଠି କରିବା ନିମନ୍ତେ
କରୋନା ସଂସାରେ ଆସିଛି l୪l
ଲୋକ ଦେଖାଣିଆ ବିଶାଳ ପ୍ରାସାଦ
ଭୂତକୋଠି ହୋଇ ଯାଇଛି
ଗାଁ ଭିଟାମାଟି ଇନ୍ଦିରା ଆବାସ
ସରଗ ଭୂବନ ହୋଇଛି l୫l
ବାବୁ ସାହେବଙ୍କ ଆମିଷ ଭୋଜନ
ଖାଇବା ନିଶାଟା କମିଛି
ମାଆ ଭାତହାଣ୍ଡି ପିତାର ଏରୁଣ୍ଡି
ସୁରକ୍ଷା ବଳୟ ସାଜିଛି l୬l
ଗାଡି ମଟରର ବିକଟାଳ ଶବ୍ଦ
ଗର୍ଜନ ତର୍ଜନ ସରିଛି
ବାୟୁ ମଣ୍ଡଳର ପ୍ରଦୂଷଣ କମି
ଗଛ ପତର ମୋ ହସୁଛି l୭l
ବହୁ ବର୍ଷ ପରେ ପରିବାର ସବୁ
ଏକାଠି ରହିବା ଦେଖୁଛି
ମଣିଷର ନିୟନ୍ତ୍ରଣ ପାଇଁ ଆଜି
ପ୍ରକୃତି ଏ ଲୀଳା ରଚିଛି l୮l
ଫିଲ୍ମ, ସପିଂ, ମଦ ଭାଟି, ପାର୍କ
ମଶାଣି ହୋଇକି ପଡିଛି
ଏନ୍ତୁଡ଼ି ଶାଳଟା ସ୍ଵାଗତ ସଙ୍ଗୀତେ
ଖିଲି ଖିଲି ହୋଇ ହସୁଛି l୯l
ମତଗର୍ବ ଅହଂ ଭାଙ୍ଗିବl ନିମନ୍ତେ
କଳିର କରାଳ ଆସିଛି
"ମୁଁ" ବୋଲି ଗର୍ବ କରନାହିଁ ଆଉ
ତୋ' ଉପରେ ଜଣେ ରହିଛି l୧୦l
