ମାଣବସା ଗୁରୁବାର
ମାଣବସା ଗୁରୁବାର
ଆମ ଉତ୍କଳରେ ମାସ ମଗୁଶୁରେ
ମହାଲକ୍ଷ୍ମୀ ନାମେ ଧ୍ବଜା,
ମା' ପୁରପଲ୍ଲୀରେ ପ୍ରତି ଘରେ ଘରେ
ଗୁରୁବାରେ ପାଏ ପୂଜା,
ନୂଆ ଶୁକ୍ଳ ଧାନରେ
ଖଟୁଲି ଉପରେ ଶେରମାଣ ଆଖୁ
ଅଦା, କଦଳୀ, ମୂଳାରେ,
ନବବଧୂ ନୂତନ ବସ୍ତ୍ରରେ ।
ଗେଣ୍ଡୁ, ପଦ୍ମ ଫୁଲ, ହଳଦୀ, ସିନ୍ଦୂର
ସାଥେ କଜ୍ଜ୍ବଳ, କଉଡ଼ି,
ନାରୀଙ୍କର ଯାହା ଯାହା ଆବଶ୍ୟକ
ରଖଇ ସବୁ ସଜାଡ଼ି,
ଉତ୍କଳୀୟ ରମଣୀ
ଧୋଇ ଘରଦ୍ବାର, ଲିପି ପରିଷ୍କାର
ଝୋଟିରେ ମଣ୍ଡାଏ ପୁଣି,
ଅଷ୍ଟଦଳ ପଦ୍ମରେ ମଣ୍ଡଣି ।
ସଂକ୍ରାନ୍ତି କଳାରେ କିଏ ପାଞ୍ଚ ପାଳି
କିଏ ପୂର୍ଣ୍ଣିମା କଳାରେ,
କିଏ ଶୁଭ ଦିନ ପାଞ୍ଜି ଅନୁଧ୍ୟାନ
ପୂଜଇ ଗୋଟିଏ ବାରେ,
ପ୍ରଥମାଷ୍ଟମୀ ପରେ
ଅତ୍ୟନ୍ତ ଶୁଭଦାୟକ ଗୁରୁବାର
ଯେବେ ପ୍ରଥମାଷ୍ଟମୀରେ,
ଉତ୍କଳର ପଞ୍ଜିକାନୁସାରେ ।
ଲକ୍ଷ୍ମୀ ପୁରାଣରେ ହୋଇଛି ବର୍ଣ୍ଣିତ
ମାଆଙ୍କ କୀରତି ଗାଥା
ଅତ୍ୟନ୍ତ ଦୁଃଖିନୀ ଶ୍ରୀୟା ଚଣ୍ଡାଳୁଣୀ
ତାଙ୍କ ପାଦେ ରଖି ମଥା,
ପୁତ୍ରବତୀ ହୋଇଲା
ଧନଧାନ୍ୟ ଗୋପଲକ୍ଷ୍ମୀରେ ତା' ଘର
ଭରପୂର ହୋଇଗଲା,
ମାଆ କୃପା ବୃଷ୍ଟି କରିଥିଲା ।
ଚଣ୍ଡାଳ ଦ୍ବାରକୁ ଯାଇଥିଲେ ବୋଲି
କମଳିନୀ ଲକ୍ଷ୍ମୀ ମାତ,
ଭାଇଙ୍କ ରୋଷରେ କଟୁ ବଚନରେ
ତ୍ୟାଗ କଲେ ଜଗନ୍ନାଥ,
ବଡ଼ ଦେଉଳେ ସ୍ଥାନ
ଦେଲେ ନାହିଁ ବୋଲି ସମୁଦ୍ର କୂଳରେ
ନବ ମନ୍ଦିର ନିର୍ମାଣ,
କଲେ ବିଶ୍ବକର୍ମା ଆସି ଜାଣ ।
ସେ ଠାବରେ ରହି କୋପଭର ହୋଇ
ଶିରୀମନ୍ଦିର ଶ୍ରୀହୀନ,
ଲକ୍ଷୀଛଡା ହୋଇ ବୁଲି ଦୁଇ ଭାଇ
ଲଭି କ୍ଷୁଧାର କଷଣ,
ଶେଷରେ ଚଣ୍ଡାଳୁଣୀ
ହସ୍ତୁ ଖାଦ୍ୟ ଖାଇ ତୃପ୍ତ ଦୁଇ ଭାଇ
ନିଜର ତ୍ରୁଟିକୁ ଜାଣି,
ଥିଲେ ତାଙ୍କୁ ଶ୍ରୀମନ୍ଦିର ଆଣି ।
ଜଗତର ମାତାପିତାଙ୍କର ଏହି
ମାନବଲୀଳା ଉଦ୍ଦେଶ୍ୟ,
ଜାତି, ବର୍ଣ୍ଣ ଅସ୍ପୃଶ୍ୟତା ନିବାରଣ
କାରଣ ଥିଲା ଅବଶ୍ୟ,
ଯାହା ଶୁଣି ମାନବେ
ହୀନମନ୍ୟ ଭାବ ହଟାଇ ମନରୁ
ସକଳେ ପ୍ରେମେ ବାନ୍ଧିବେ,
ମାନବିକତା ଗୁଣ ଉଦ୍ଭବେ ।
ପତ୍ନୀକୁ ରୋଷରେ ପୁରୁଷ ତ୍ୟାଗୀଲେ
ହୁଅଇଟି ହତଲକ୍ଷ୍ମା,
ଦେଇଥିଲେ ମାତା ଜଣାଇ ଏକଥା
ପ୍ରଭୁଙ୍କୁ ସେ କରି କ୍ଷମା,
ଯାହା ଜାଣି ମରତ
ପତ୍ନୀର ସମ୍ମାନ ରଖିଥିବେ ଉଚ୍ଚ
ଚେତନା ଜାଗାଇ ଚିତ୍ତ,
ସର୍ବ ମଙ୍ଗଳ ହେବା ନିମିତ୍ତ ।
ସେହି ଦିନଠାରୁ ଅଦ୍ୟାବଧି ଯାଏ
ପିଢ଼ି ପରେ ପିଢ଼ି ଏଠି,
ଧନ ପ୍ରାପ୍ତି ଅର୍ଥେ ଶ୍ରୀମହାଲକ୍ଷ୍ମୀଙ୍କୁ
ରଖନ୍ତି ପକାଇ ଗଣ୍ଠି,
ଗୃହାଙ୍ଗାନାଏଁ ଓଷା,
ବରଷକେ ଥରେ କରନ୍ତି ପାଳନ
ଗୁରୁବାର ମାଣବସା,
ସର୍ବେ ସୁଖେ ବାନ୍ଧିବାକୁ ବସା ।