ମାଙ୍କଡମାନଙ୍କ ଦାଦାଗିରି
ମାଙ୍କଡମାନଙ୍କ ଦାଦାଗିରି
ବଡ ସାଂଘାତିକ ରାମ୍ଭାଇ ଅବସ୍ଥା
ମଝି ରାସ୍ତାରେ ପଡିଛି
ସାଇକେଲ ତାର ବିଲରେ ପଡିଛି
ଆଗଚକା ଘୂରୁଅଛି।
କୋଡିଏ ମାଙ୍କଡ ହରତାଳ କରି
ରାସ୍ତା ରୋକ କରିଛନ୍ତି
ବାଇକି କାଆର ଅଟୋ ସାଇକେଲ
କାହାକୁ ଛାଡୁନାହାଁନ୍ତି।
ରାମ୍ଭାଇ ସାଇକେଲ ଚକା କାହା
ଦେହେ ବାଜିଛି କି ନାହିଁ
ନିରୀହ ଲୋକର ଏ ଅବସ୍ଥା କଲେ
ତଣ୍ଟିଆ ଚାପୁଡା ଦେଇ।
ଘଟଣା କ'ଣ ଦାଦାଗିରି କାହିଁ
ମାଙ୍କଡ ମାନେ କରନ୍ତି
ବୁଝିଲା ବେଳେକୁ ବିଭିନ୍ନ କାରଣ
ୟା ପଛରେ ଲୁଚିଅଛି।
ସେ କାରଣ ହେଲା ମଣିଷ କାହିଁକି
ବଣ ଜଙ୍ଗଲ କାଟନ୍ତି
ମାଙ୍କଡମାନେ ଯେ ବାସ ହରେଇକି
ଗାଆଁ ସାହି ବୁଲୁଛନ୍ତି।
ପେଟ ପୋଡ଼ିଗଲେ ଖାଇବାକୁ ଯଦି
କାହା ବାରିଘରେ ପଶି
ପ୍ରାଣ ରକ୍ଷା ପାଇଁ ଛିଣ୍ଡେଇ ପକାନ୍ତି
ଲାଉ କି କଖାରୁ କଷି।
ଆଉ ରକ୍ଷା ନାହିଁ ବାଟୁଳିଖଡା କି
ଢେଲା ପଥର ପ୍ରହାର
ଟିଣା ବାଡ଼ିଆକୁ ଫଟକା ଫୁଟାନ୍ତି
ଗାଆଁର ବାଳୁଙ୍ଗା ଦଳ।
ମାଙ୍କଡଗୋଟିଏ ଗାଆଁରେ ଦେଖିଲେ
କାମଧନ୍ଦା ସବୁ ଛାଡ଼ି
ପିଲାଠାରୁ ବୁଢା ସଭିଏଁ ମାଙ୍କଡ
ପଛରେ ଥାଆନ୍ତି ପଡ଼ି।
ତାଙ୍କ ପାଇଁ ନାହିଁ ଇନ୍ଦିରା ଆବାସ
ନାହିଁ ତ ଆଧାର କାର୍ଡ
ସରକାରୀ ଭତ୍ତା ଶିକ୍ଷା ଦୀକ୍ଷା ସେବା
କିଛି ତ ନାହିଁ ତାଙ୍କର।
ଖରା ବର୍ଷା ଶୀତ କାକର ସହିକି
ଛୁଆଟି ପେଟରେ ଧରି
ମାଆ ମାଙ୍କଡ଼ଟି ଗଛଡାଳେ ଥାଏ
ଡିଆଁ କୁଦ ମାରିମାରି।
ତେଣୁ ଆଜି ଏହି ଶୁଭ ଅବସରେ
ମାଙ୍କଡ ଆସି ମିଳିଲେ
ରାସ୍ତାରୋକ କରି ରାମଭାଇଙ୍କର
ନାକରା ଅବସ୍ଥା କଲେ।
ପୁଣି ଜଣାପଡେ କଲେକ୍ଟରଙ୍କୁ ଯେ
ଟାରଗେଟ କରିଛନ୍ତି
ତାଙ୍କ ଅଫିସ୍କୁ ଭାଙ୍ଗିବା ପାଇଁକି
ଯୋଜନା ବି କରିଛନ୍ତି।
ମାଙ୍କଡମାନଙ୍କ ଦାବି ରହିଅଛି
ବୃକ୍ଷମାନ ଲଗାଯାଉ
ମାଙ୍କଡ ମାନଙ୍କ ପାଇଁକି ସ୍ଵତନ୍ତ୍ର
ବଣ୍ୟ ନୀତି କରାଯାଉ।
ଗଛ ଲଗାଇବା ପାଇଁ ମଣିଷଙ୍କୁ
ବାଧ୍ୟ ପୁଣି କରାଯାଉ
ଯିଏ ନ ମାନିବ ରାସନ ଚାକିରୀ
ପେନ୍ସନ କଟାଯାଉ।
ଖାଲି ଏ ମାଙ୍କଡ ନୁହଁନ୍ତି ହେ ଭାଇ
ବଣ୍ୟ ଜନ୍ତୁ ହାତୀ ପଲ
ଗାଆଁ ଓ ସାହିରେ ପ୍ରବେଶ କଲେଣି
ନଷ୍ଟ କଲେଣି ଫସଲ।
ମଣିଷଙ୍କୁ ଆଜି ସୁଧାରିବା ପାଇଁ
ମାଙ୍କଡଙ୍କ ଦାଦାଗିରି
ରାମଭାଇଟିକୁ ରାମଭକ୍ତ ମାନେ
ଦେଲେ ଏ ଅବସ୍ଥା କରି।
ଆଗକୁ ଆସୁଛି ଦେଖିବା ପାଇଁକି
ନୂଆ ନୂଆ ଦୃଶ୍ୟମାନ
ମୁଁ ଏହା ଭାବୁଛି ଲୋକସଂଖ୍ୟା ବୃଦ୍ଧି
ବୋଧେ ଏହାର କାରଣ।
