STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲୁହ ସ୍ରୋତସ୍ୱିନୀ

ଲୁହ ସ୍ରୋତସ୍ୱିନୀ

1 min
418

ଲୁହର ସ୍ରୋତରୁ ଛାଣିବାକୁ ହେବ

      କାଳ କାଳାନ୍ତର ଆଶା

ଶୋକର ଉଜାଣି ଅକୁହା କାହାଣୀ

      ଅନନ୍ତ୍ କାଳର ନିଶା ।


ବିଷାଦର ଛାୟା ମାଡ଼ୁ ଯେତେ କାୟା

       ସ୍ୱପ୍ନସ୍ନାତ ମୁଷ୍ଟିବଦ୍ଧ

ନିରାସାର ଭାଷା ହେଉ ଅଧାକଷା

       ଫଳବତୀ ସ୍ଵୟଂସିଦ୍ଧ ।


ବିଫଳତା ସିଢି ଯିବା ଆମେ ଚଢି

       ଫଳନାସ୍ତି ଅସ୍ତରାଗେ

ଚେଷ୍ଟା ବି ଅର୍ଦ୍ଧେକ ପ୍ରଚେଷ୍ଟା ଅନେକ

       ଭାଗ୍ୟଚୁମେ ସିଂହଭାଗେ ।


ଉଦ୍ୟମ କରିବା ସଂଜମ ଜପିବା

      ଲୁହ ଲହୁ ଏକାକାର

ଆଳସ୍ୟ ତ୍ୟାଗୀ କର୍ମେ ଅନୁରାଗୀ

     ବରଜୀବ କର୍ମବୀର ।


ନିର୍ଦ୍ଧନ ଦୁର୍ଦ୍ଦିନ ମାନସିକ ଗାନ

     ଅଳସୁଆ ଭାଗ୍ୟଡୋରୀ

ମାନବ ଜୀବନ ସୁବାସ ଚନ୍ଦନ

      ବାଣ୍ଟିଦିଅ ସୁଧାଖିରୀ ।


ଖିଅରେ ଅଟକେ ରହିବା କଟକେ

      ଖୁସିବାଣ୍ଟି ବାକିଦିନ

ବୃଥା ଅସ୍ଫାଳନ ବାକ୍ୟ ବିନୋଦନ

      ଫମ୍ପା ମାନ ଅଭିମାନ ।


ଅନ୍ୟର ଲୁହରେ ସାମାନ୍ୟ କୋହରେ

      ଭିଜିଯାଉ ଛାତିଗୁଡ଼ା

ଅସଂଖ୍ୟ ଓଠରେ ଚରିତ୍ର ଘଟରେ

     ଶୋଭାପାଉ ହସତୋଡ଼ା ।


ଆସ ଭାଇବନ୍ଧୁ ଶାନ୍ତି କେନ୍ଦ୍ରବିନ୍ଦୁ

     ସମତାର ବାତାୟନେ

ଜଗତୀକରଣ ମନ୍ତ୍ରରେ ଧୂରୀଣ

     ବିଶ୍ୱାତ୍ମାର ନିବେଦନେ ।


ଲୁହର ବୋଇତ ହୋଇବ ଲୁଣ୍ଠିତ

    ଖୁସିର ବନ୍ଦର ପାଖେ

ଗରିବଙ୍କ ଭୋକ ଧନୀର ସଉଚ୍ଚ

    କୋଳାକୋଳୀ ହର୍ସମୁଖେ ।


ଜନ-ଗଣ - ତନ୍ତ୍ର ଅବା ସାଧାରଣ-ତନ୍ତ୍ର

     ନ ହେଉ ମାରଣତନ୍ତ୍ର

ଆଇନତଃ ଆସ ଆଣିବାକୁ ହସ

    ବ୍ୟକ୍ତି ସ୍ଵାଧୀନତା ମନ୍ତ୍ର ।


ଲୁହର ନଦୀରେ ଉଇଁବ ଖୁସିରେ

    ସତ୍ୟ ଶତଦଳ କେତେ

ଗରିବୀ ହଟିବ ଦାଦନ ତୁଟିବ

    କର୍ମ- ନଙ୍ଗରର ଚୋଟେ ।


ଲୁହ ସ୍ରୋତସ୍ୱିନୀ ଲୁଚୁ କମଳିନୀ

   କଟାକ୍ଷେ ମୃଦୁ ତରଙ୍ଗେ

ଲୁହ ପିଇ ଓଠ ହେଉ ସେ ବିମ୍ବୋଷ୍ଠ

    ଗର୍ଭଗୃହେ ସ୍ଵତଃ ଉମଙ୍ଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational