ଲାଖଦୃଷ୍ଟି
ଲାଖଦୃଷ୍ଟି
ରକ୍ତ ମାଂସର ମାଂସଳ ଶରୀର
କ୍ଷୀର ସର ଲହୁଣି ଅଙ୍ଗ ଗୋଲାପି ଅଧର
ଆଖିରେ ଭରିଛି ଅୟୁତ ନିୟୁତ ଶୃଙ୍ଗାର
ଥରେ ଦିଶିଗଲେ ତା ଦେହ ଦେହଳୀର
ନାଭିକେନ୍ଦ୍ର
ସଫା ବେଳାଭୂମୀର ଦିଗବାରେଣୀ ଖୁଣ୍ଟିଚନ୍ଦ୍ର
ରାତିସାରା ପାଶ ବଦଳେଇ ବଦଳେଇ
ମଥା ତଳେ ହାତ ଉପରେ ଛାତକୁ ଆଡେଇ
ଚୁମ୍ବକୀୟ କକ୍ଷପଥେ
ଘୁରୁଥାଏ ଚକ୍କର କାଟୁଥାଏ
ଶଙ୍ଖଚିଲ ଯେସନ ଲାଖଦୃଷ୍ଟି ମାଛ ଧରୁଥାଏ
ଅଣନିଃଶ୍ଵାସୀ ଲମ୍ଫ ମାରି ପହଁରୁଥାଏ
ମନ ଚଇତନ ଜୀବନ ଯୌବନ ସାଗର ।
ରକ୍ତ ମାଂସର ମାଂସଳ ଶରୀର
ଋତୁଚକ୍ର ଆବର୍ତ୍ତନେ ମଗନେ ବିଭୋର
ଶ୍ରାବଣ ହେଉ କି ଫଗୁଣ
ହେମନ୍ତ ହେଉ କି ବସନ୍ତ
ମହ ମହ ଚଂପାଫୁଲରେ ଫୁଲେଇ
କଞ୍ଚା ଦେହରେ ଦୋଳି ଖେଳେ ମଳୟ ପବନ
ଆକ୍ତାମାକ୍ତା ସତ୍ତା କୁତୁକୁତୁ ପ୍ରାଣବତ୍ତା
ଛୁଇଁବାକୁ ଛନଛନ କନକନ ପ୍ରଣୟେ ଆତୁର ।
ରକ୍ତ ମାଂସର ମାଂସଳ ଶରୀର
ରସଭରା କାଦମ୍ଵରୀ ପାନୀୟ ଆସର
ହଲି ଦୋହଲି ଡାକୁଥାଏ ନିତମ୍ବ ପ୍ରସାରୀ
ମନ ମସ୍ତିସ୍କରେ ମତିଭ୍ରମ କନ୍ୟାକୁମାରୀ
ଛୁଇଁଲେ ସରମୀ ନରମୀ ଛଇ ଛଟକି
ବିଦ୍ୟୁତ ଶକ୍ତି ମିଳିଯାଏ ଚଟକି ମଟକି
ସ୍ନାୟୁରେ ଶିରା ପ୍ରଶିରାରେ ଖର ଭୂଷଣ
ନିଆଁ ଲିଭାଇବାକୁ ଉଦ୍ୟମ ବାଣକ୍ଷେପଣ
କାମଦେବ ବୋଧେ ମାରିଦେଲେ ପ୍ରେମଶର ।
ରକ୍ତ ମାଂସର ମାଂସଳ ଶରୀର
କାରୁକମ ତାରକସି ଦିବ୍ୟ ବିନ୍ଧାଣୀର
କି କୁହୁକ ମୁଣି ଖଣି ଲୁଚେଇ ଗଚ୍ଛିଛି
ଯେତେ ଖନନ ସେତେ ଉଦ୍ଗମନ
ଅସରନ୍ତି ଭଣ୍ଡାର ଗୁପ୍ରଧନ ଲାଗୁଛି
ପ୍ରାଗୈତିହାସିକ କାଳରୁ
ଭତ୍ଖଖନ ଚାଲିଛି ଚାଲିଛି
ଅସରନ୍ତି ଉତ୍ସକୂପ ଲାଗୁଛି
ବାସୁଛି ବୈଶାନର ।
ଆଶ୍ଚର୍ଯ୍ୟ ଚକିତ
ଆଖି କର୍ଣ୍ଣ ବିଷ୍ଫାରିତ
ଆଦିମ ଗୁମ୍ଫାରେ ପୁରୁଷ ପ୍ରବେଶ
ଶତ ସିଂହର ଉଦ୍ଦାମ ନରେଶ
ପାଲଟିଯାଏ ବିଚରା ମୂଷିକ ବିବଶ
ଶକ୍ତିଶେଷ ସେଲ୍ ଶେଷ ପରାଶର ।
ନାରିତ୍ଵର ଦୃଶ୍ୟବଣ
ଶିଳା ପର୍ବତ ପ୍ରସ୍ରବଣ
ଶେଷରେ ସୁନାହରିଣ
ସବୁ ଶେଷ ଖଲାସ
ଦୁର୍ବଳ ମୌସୁମୀ ପରି
ବଳ ବୀର୍ଯ୍ୟ ବୀରତ୍ଵ ପୌରୁଷ ।