ଲାବଣ୍ୟବତୀ
ଲାବଣ୍ୟବତୀ
ଦିନ ଅଣ୍ଟୁନାହିଁ ରାତି ସରୁନାହିଁ
ହେଉଛି ତତେ ମୁଁ ଝୁରି
ମୋ ଭାଷାକୋଷରେ ଶବ୍ଦ ସରିଲାଣି
ପ୍ରଶଂସା ତୋ କରି କରି
ପ୍ରତ୍ୟେକ ଛବିରେ ଲାଗୁ ମୋତେ ତୁହି
ସତେ ସ୍ବର୍ଗ ଅପସରୀ
ମୋତେ ନମିଳିଲେ ତୋହରି ସାନ୍ନିଧ୍ୟ
ନିଶ୍ଚୟ ଯିବି ମୁଁ ମରି
କେମିତି ବର୍ଣ୍ଣିବି ତୋ ରୂପ ଲାବଣ୍ୟ
ଲେଖନୀ ମୋ ଯାଏ ହାରି
ରମ୍ଭା ହେଉ ଅବା ମେନକା ଉର୍ବଷୀ
ହେବେ ନାହିଁ ତୋର ଶରି
ସତ କି ସପନ ବୁଝି ହେଉ ନାହିଁ
ରାତି ମୋ ଯାଉଛି ସରି
କି ଯାଦୁ ରହିଛି ତୋ ଗୋରା ତନୁରେ
ହାରେ ରୂପବତୀ ନାରୀ
ଗଢିଛି ବିଧାତା ତତେ ଅପଲକେ
ଦିନରାତି ଏକା କରି
ଟୋକା ତ ଟୋକା ଲୋ ତୋ ରୂପକୁ ଦେଖି
ବୁଢା ବି ତ ଯିବେ ମରି
ଲାବଣ୍ୟବତୀ ଲୋ ତୋ ରୂପ ପାଖରେ
କନ୍ଦର୍ପ ଘରଣୀ ତୁଛ
ତୋ ଭଳି ସୁନ୍ଦରୀ ଜଗତେ ବିରଳ
ଏକଥା ନୁହଁଇ ମିଛ