STORYMIRROR

Panchanan Jena

Fantasy

3  

Panchanan Jena

Fantasy

କୃତୀ ଆଳୟ

କୃତୀ ଆଳୟ

1 min
173


ଚାକିରୀ ପ୍ରବାସେ 

ଆସାମ ରାଜ୍ୟେ ଉତ୍ତର ପୂର୍ବ ଦେଶେ

ଗାଁରେ ରହେ ମା' ଭଦାସେ

ଫୋନରେ କଥା ହେଲେ ଅଳପ ହସେ

ଭିଡ଼ିଓ କଲ୍‌ ବେଳେ 

ପାକୁଆ ପାନ ଖିଆ ପାଟି ତଳେ

ଲୁହ ଥମ୍ ଥମ୍ କଥାରେ ବୋଳି

ବହୁତ ରୋଗୀଣା ଦିଶେ ।


ଛୁଟିରେ ଗଲେ ଘରକୁ

ସେହି ବାଲ୍ୟ ଶୈଶବର 

ପୁରୁଣା ହେଁସ ମସିଣାର ପୂରକୁ

 ମାଟି କାନ୍ଥର ଘର ଅଗଣା 

ଗୋବର ଲିପା ପିଣ୍ଡା ଠଣା

ଲାଗେ ମୋତେ ଦ୍ଵି ମହଲା ନଅର

ଅଳସ ଭାଙ୍ଗୁଛି ମୁଁ ରାଜକୁମର ।


ସିନେମାର ଚିତ୍ର ପରି ଭାସି ଉଠେ

ପଇଡ଼ା ଡିହର କଣ୍ଟା ଖଟା କମଳା

ବନା ଭାଇ ଗଛୁ ପିଜୁଳି ତୋଳା

ସକାଳୁ ସଅଳ ଉଠା

ଖଜୁରି କୋଳି ମୁଠା ମୁଠା

ମାଛ ଭାସୁଥିବେ ଦଳକୁ ଦଳ

ତାଳି ମାରିଦେଲେ ପୋଖରୀ ତଳ ।


ମନେ ମନେ ଖୋଜିବସେ

କାନ୍ଥରେ ଆଙ୍କିଥିବା ଅସୁନ୍ଦର ଛାୟା ଚିତ୍ର

କାନ୍ଥ କୋଣେ ଲୁଚିଥିବା ବେଙ୍ଗମିତ୍ର

ଡିବିରି ଆଲୁଅରେ ପାଠପଢ଼ା

ଚୁଲି ନିଆଁରେ ଗରମ ଗରମ ଆଳୁପୋଡା

ବାଡି ଶେଉଳ ସହିତ ବାଇଗଣ ଚଡ଼ଚଡ଼ି

ସୁଶୁଣ୍ଡି ଶାଗ ଖରଡ଼ା ସହିତ ଭଜା ମୁଢି

ଜିଭରେ ବାରି ପଡ଼େ 

ସୁସ୍ଵାଦୁ ଖାଦ୍ୟ ବ୍ୟଞନ ହାବୁଡ଼େ ।


ଗରମ ଦିନର ଖରାବେଳ ସବୁରି

ପୋଖରି ପହଁରା ପାଣିକୁଆ ପରି

କଇଁ ତୋଳା ଏପାରି ସେପାରି

କଇଁଆ କଇଁଥ ଆମ୍ବ ଜାମୁକୋଳି

 ବେତ ବଇଁଚ଼ କୁସୁମ ବଉଳ ମାଳି

ଗଛରେ ଚଢି ଓହଳି

ମାଙ୍କଡ ଡିଆଁ ରଡି ତକରାଳ କଳି ।


ପତୁଳି ପକା ବଳଦ ଅଡ଼ା

ଲାଞ୍ଜ ମୋଡି ଦେଲେ ସହଳ ଧଡ଼ା

ଧାନ ଚାଲୁଣି ପତାଣ୍ଡି ଭଡ଼ା

କୁଲା ବୟାର ଆଟୁରେ ଯୋଡା

ଧାନ ଅମାର ଘର

ଛୋଟ କବାଟ ତାର

ଗଉଣି ଗଉଣି ଧାନ ଭରଣି

ପତୁକ ପସିଯାଏ ନାକ ପାଟିରେ ମଣି

ଝାଳରେ ଗମ୍ ଗମ୍ ଆପାଦମସ୍ତକ

ପୁରୁଣା ଅମାର ଠିଆ ଦେଉଛି ଦସ୍ତକ ।


ଏମିତି କେତେ ଅସରନ୍ତି ଅତୀତ ଇସ୍ତାହାର

ଆଖି ଆଗରେ ଡଗଡଗ ଧଉଁଥାନ୍ତି ତରତର

ଧଡ଼କା ଖୋଲୁ ଖୋଲୁ ଅସ୍ତବ୍ୟସ୍ତ ହୋଇ

କୃତୁକୁତୁ କରୁଥାନ୍ତି ଉଜ୍ଜଳ ପିଲାଦିନ ଧ୍ୟାଇ

ମୋତେ ଲାଗେ ବେଳେ ବେଳେ

ପୁରୁଣା ମାଟି କାନ୍ଥ ଘର 

କଳ୍ପନା ଚକ୍ଷୁରେ 

ଇତିହାସ ଗବାକ୍ଷରେ

ଯୁଗେ ଯୁଗେ ମୋ ପାଇଁ

ବାଲ୍ୟ ଶୈଶବର ସଂଗ୍ରହାଳୟ 

ମୋତି ମହଲ ଠାରୁ 

ବେଶି ଅମୂଲ୍ୟ ଅତୁଲ୍ୟ 

ସାଇତା ସ୍ମୃତି ବଳୟ 

ବିଭୋର କୃତି ଆଳୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy