କୃଷକ
କୃଷକ
ବଡ ବଡିଆଙ୍କୁ ପଚାରନ୍ତୁ ଥରେ
କାହା ଉତ୍ପାଦନେ ବଞ୍ଚିଛି
ଗୋଡପରେ ଗୋଡ ରଖି କରି ଯେଉଁ
ବାସୁମତୀ ମଜା ନେଉଛି ।୧।
କୃଷକର ଲହୁ ଲୁହର ସେ ଦାନ
ମନ୍ତ୍ରୀକୁ କି ଜଣା ଅଛିକି
ଗଦି ପରେ ବସି ନିତି ନୂଆ ନୂଆ
ଆଇନ୍ କାନୁନ୍ କରୁଛି ।୨।
ବିଲକୁ ଜଗିକି ନାମ ମାତ୍ର ଚାଷୀ
ନିତି ହଇରାଣ ହେଉଛି
ଜଳ ସେଚନର ଅଭାବର କଥା
ମନ୍ତ୍ରୀ ବାବୁ କଣ ଶୁଣୁଛି ?୪
ସରକାର ଧନ ବାଟ ମାରଣାରେ
ନିଜ ଜମାଘରେ ରଖୁଛି
ମୋ ଚାଷୀ ଭାଇକୁ ନ ଦେଇ ନଜର
ସଦା ମିଛ କଥା କହୁଛି ।୫।
ଆକାଶକୁ ଚାହିଁ ରହିଥାଏ ଚାଷୀ
ଫସଲ ଅମଳ ପାଇଁକି
ବିଭୁର କରୁଣା ହୋଇଗଲେ ଟିକେ
ନଇତି ସପନ ଦେଖୁଛି ।୬।
ସୁନାର ଫସଲ ହସାଇ ଦିଏ ସେ
ଖାତିର ନକରେ ବରଷା
ଲାଗି ପଡିଥାଏ ନିଜ କର୍ମ ପଥେ
ଗ୍ରୀଷ୍ମ କୁ ନଭାବି ସେ ଦଶା ।୭।
ରାତି ଅଧରୁ ସେ ବିଲକୁ ଯାଆଇ
ବେଖାତିର କରି ଶୀତକୁ
ବାଆ ବତା ପୁଣି ବିଜୁଳି ଚମକ
ନ ମାନେ ସେ କେବେ ତାହାକୁ ।୮।
ନିଜେ ଭୋଗୁଥାଏ ଅଭାବ କଷଣ
କହି ପାରେ ନାହିଁ କାହାକୁ
ମେରୁଦଣ୍ଡ ସିଏ ଦେଶର ବୋଲି ଯେ
ଜାଣନ୍ତିନି ବାବୁ ଦାଣ୍ଡକୁ ।୯।
ସାଗ ପଖାଳରେ ଦିନ କାଟି ଦିଏ
ଏହି ମୋ ହରିଆ ନନାଟି
ଅତି ସରଳତା ଉଦାରତା ପଣ
କୁହେ ନି କେବେ କାହାଠି ।୧୦।
ଚାଷୀ ହସୁଥିଲେ ଦୁନିଆଁ ହସିବ
ଜାଣନ୍ତି କି ବାବୁ ସାହବ ?
କାହାର ସୁରକ୍ଷା ଆଗେ କରାଯିବ
ଶୁଣରେ ଡିଜିଟାଲ ଯୁଗ ।୧୧।
ପାଠ ପଢି ଆମେ ପଢୁଆ ହୋଇବା
କରିବା ଚାଷୀର ଉତ୍ଥାନ
ତେବେ ଯାଇ ମୋର ପବିତ୍ର ଭାରତେ
ଖୁସି ଫେରିବ ସେଇ ଦିନ ।୧୨।
ଜାଗ୍ରତ ହୁଅନ୍ତୁ ମୋ ଦେଶ ଜନତା
କୃଷକର କର ଉନ୍ନତି
ତାଆ ପାଇଁ ପରା ନିର୍ଭର କରଇ
ଆମରି ଜାତିର ପ୍ରଗତି ।୧୩।
ସେଥିପାଇଁ ଆମ ଅତୀତ ପୁରୁଷ
କହିଥିଲେ ଜୟ ଜବାନ
ତାଙ୍କରି ପଥର ପଥିକ ଆମେରେ
କୃଷକ କଲ୍ୟାଣ ମହାନ୍ ।୧୪।
ହେ ଶାସ୍ତ୍ରୀ ତୁମେ ସ୍ଵର୍ଗ ପୁରେ ଥାଇ
କରନ୍ତୁ ଏହି ଆଶିଷ
ଜୟଗାନ ହେଉ ତୁମର ସେ ବାଣୀ
ହସୁ ମୋ ଭାରତ ବର୍ଷ ।୧୫।
ଧ୍ରୁବ ଚରଣ ବେହେରା ।
ତା :୨୩।୧୧।୧୮
