କେମିତି ଭୁଲିବି
କେମିତି ଭୁଲିବି
ସତ ଚେଷ୍ଟା କରି ଭୁଲି ମୁଁ ପାରୁନି
ରୁଗଣ ହୃଦୟ ନେଇ
ତୁମ କଥା ଆଜି ମନରେ ପଡିଲେ
ଅତୀତଟା ଉଠେ ଚେଇଁ |
କାନ୍ଦୁରା ଜୀବନେ ଅନେକ ଯନ୍ତ୍ରଣା
କାହାକୁ କହିବି ଡାକି
ଫିକା ପଡିଛି ମୋ ସୁହାଗ ସିନ୍ଦୂର
ହସ ତ ଯାଇଛି ଶୁଖି |
କାନେ କାନେ କେତେ କହିଥିଲ କଥା
ସେ ସବୁ ଗୁମୁରି ଉଠେ
ଚାଲିଗଲ ତୁମେ ପ୍ରୀତି ଘର ଭାଙ୍ଗି
(ମୁଁ )ରହିଗଲି ଅଧାବାଟେ |
ଅସହାୟ ଏଇ ଜୀବନ ପଥରେ
ଏକା ଏକା ଚାଲେ ମୁହିଁ
ପଛକୁ ଚାହିଁଲେ ଶୂନ୍ୟ ପଦ ଚିହ୍ନ
କେହି ଜଣେ ଆଜି ନାହିଁ |
କହିବାର ଯେଉଁ କଥା କିଛି ଥିଲା
ରଖିଛି ଅନ୍ତରେ ଭରି
ମନେ ପଡିଗଲେ ସେ ହଜିଲା ଦିନ
ଆଖି ଲୁହ ପଡେ ଝରି |
ତୁମେ ନାହଁ ବୋଲି ମନ ଅଙ୍ଗନରେ
ମଗନେ ଫୁଟୁନି ଫୁଲ
ଶୀତଳ ପବନ ଭାସିଆସେ ହେଲେ
ଲାଗେ ମୋତେ ନିଆଁ ଝୁଲ |
ନିଃଶବ୍ଦ ରାତ୍ରିର ନିଃସଙ୍ଗ ପ୍ରହରେ
ଏବେ ବି ସେ ସ୍ମୃତି ଧରି
ତୁହାଇ ତୁହାଇ କାନ୍ଦୁଛି କେମିତି
ଥରେ ଦେଖିଯାଅ ଫେରି |
ମୋ ସୁଖ ସପନ ସୁକୋମଳ ମନ
ଯାଏ ଚୁରମାର ହୋଇ
ମୋର ହୋଇ ଆଉ କିଛି ବି ତ ନାହିଁ
ଖାଲି ହତାଶର ଛାଇ |
ପ୍ରତିଶୃତି ତୁମ ମିଥ୍ୟା ସ୍ୱପ୍ନ ଥିଲା
କାହିଁକି ଭାବିବି ମୁହିଁ
ବଞ୍ଚିବା ପାଇଁ ମୁଁ ବଞ୍ଚିବି କେବଳ
ନିଜ ଲୁହ ନିଜେ ପିଇ |
ଦୂରରେ ଥାଇଣ ତୁମରି ପ୍ରେମକୁ
ରୋମନ୍ଥନ କରେ ମୁହିଁ
ହୃଦୟ ନଈ ମୋ ଶୁଖିଲା ପଡିଛି
କାଚଧାର ପାଣି ନାହିଁ |
ଆଉ ନେବି ନାହିଁ ଚରମ ନିଷ୍ପତ୍ତି
ତୁମ ସହ ଭେଟ ପାଇଁ
ମରଣ ନୁହଁଇ ଜୀବନ ଦର୍ଶନ
ଜୀଇଁବି ହାରିବି ନାହିଁ |
ପ୍ରେମ ହିଁ ଶାଶ୍ୱତ ପ୍ରଣୟ ପବିତ୍ର
ତା ସ୍ଥାନ ନେବ କି କିଏ
ହୃଦୟ ଭିତରେ ତା ସ୍ଥାନ ସ୍ୱତନ୍ତ୍ର
ବୁଝି ବି ଅବୁଝା ହୁଏ |