STORYMIRROR

Sankarsan Parida

Abstract Tragedy Others

3  

Sankarsan Parida

Abstract Tragedy Others

କବିତା ଦୀପାବଳୀ

କବିତା ଦୀପାବଳୀ

2 mins
26.7K


ଆସ ! ବଡ ବଡୁଆ ହୋ ଆସ

ତୁହାଇ ତୁହାଇ ଡାକେ

ଅନ୍ଧାରର ଛାତ ଚିରି ଛାତି ଚିରି ଆସ

ଜାଳିବି ମୁଁ ଦୀପାବଳୀ

ଆସ ଆସ ମୋ ପୂର୍ବ ପୁରୁଷ।।

ଆପଣ ବି ମୋ ଚଉଦ ପୁରୁଷର

ପୂର୍ବ ପୁରୁଷ, ମୁଁ ପୂର୍ବାପର ଭଗ୍ନାବଶେଷ

ଉଭୟ ଅବଶେଷ ଓ ଅବଶୋଶ।।

ମୁଁ ଅର୍କ୍ଷିତ ଈଶ୍ୱର ଆପଣ ସମ୍ପୂର୍ଣ୍ଣ ମଣିଷ

ପରିପୂର୍ଣ୍ଣ ଅଭିବ୍ୟକ୍ତି ମୁଁ ଅର୍ଥହୀନ

ଅଭିସାର ଓ ଅସମାପ୍ତ ଶେଷ

ଅପଣଙ୍କଠୁ ବେଶି ଅପୂର୍ଣ୍ଣ ଓ ଅଧାଗଢା

ଅଧାଗଢା ହାତ ପାଦ ଆଖି ନାକ କାନ

ଅଧାଗଢା ପଂଚେନ୍ଦ୍ରିୟ

ଅଧାଗଢା ପଚିଶ ପ୍ରକୃତି 

ଅଧାଗଢା ପାଞ୍ଚମନ 

ଅଧାଗଢା ପ୍ରିୟ ପରିଜନ।।

ଆପଣ ମୋ ଶୀକାର ହେଇଛନ୍ତି ବହୁବାର

କେବେ ଭୁଂଯାଇ ଦେଇଛି ଆଇଁଠା ଫଳତ

କେବେ ଧୋଇ ଦେଇଛି ଶ୍ରୀପାଦ

କେବେ କଂସହେଇ ରାବଣ ହେଇ

ଆପଣଙ୍କୁ ଆଣିଛି ବିପଦ

କେବେ କେବେ ନିକଟରୁ 

କେବେ କେବେ ଖୁବ ଦୂରତାର

ଶେଷଥର ଶୀକାର କରିଛି

ମୃଗଭାବି ଶିଆଳି ଲଟାରେ।।

ସନ୍ତ୍ରସ୍ତ ଓ ପଳାତକ ପ୍ରାଣର ଦେବତା

ଦୂର୍ଲଭ ମଣିଷ ଜନ୍ମ ଲୋଭରୁ ମୁକୁଳି

ଲୁଚିଅଛ ମେଘନାଦ ପାଚେରୀ ଓ

ନୀଳ କନ୍ଦରରେ ନୀଳ ନୀଳ ପର୍ବତ ଗୁହାରେ

ଅଥଚ ମୁଁ ଠିଆ ହେଇଛି ବାହାରେ

ବାଇଶି ପାହାଚ ତଳେ ସିଂହ ଦୁଆରରେ

କରୁଣ ଓ କାକୁସ୍ଥ ମୁଦ୍ରାରେ ।।

ଘନ ଘୋର ଅନ୍ଧାରରେ କାଉଁରିଆ କାଠି ଜାଳି

ମୁଁ ଡାକୁଛି ଆସ ଆସ ହେ ପୂର୍ବ ପୁରୁଷ

ଆସ ପ୍ରଭୁ ଲଳିତ ଲବଙ୍ଗ ଦ୍ବୀପ ଶେଷ ମୃତ୍ୟୁ

ଶେଷ ସ୍ବପ୍ନ ଶେଷ ରକ୍ତମାଂସ

ପୁରାତନ ଦୁଖଙ୍କର ଶିଳାଲିପି ସୁଖର ସାରାଂଶ।

ଆସ ଆସ ଚତୁର ଚତୁର୍ଦ୍ଧା ମୂର୍ତ୍ତୀ

ଆସ ଆସ କାଠର କଣ୍ଢେଇ

ଆସ ଆସ ପୂର୍ଣବ୍ରହ୍ମ ରତ୍ନ ମଣ୍ଡପର

ଆସ ଆସ ଉଭାହୁଏ ହେ ଦେବତା 

ସଜକଲି ଆଡପ ଆସର।

ତଥାପି ସରୁନି ତଥାପି ଶୁଭୁନି

କାତର ପ୍ରାର୍ଥନା ମୋର

ପ୍ରିୟ ପ୍ରିୟତମ ହେ ପୂର୍ବ ପୁରୁଷ

ଘେନାହେଉ ଶେଷ ସ୍ବପ୍ନ ଶେଷ ଅଭିଳାଷ।

ଆସ ଆସ ଗତାୟୁ ମୋ ରକ୍ତମାଂସ

ଆସ ଆସ ଅନାଗତ ଅବଶିଷ୍ଟ ଉତ୍ତର ପୁରୁଷ

ଧାଡ଼ିବାନ୍ଧି ଠିଆହୁଅ ଆସ

ଗୋଟି ପହଣ୍ଡିରେ ଆସ ରତ୍ନ ସିଂହାସନ ଛାଡି 

ନୀଳ କନ୍ଦରର ନଳିନାକ୍ଷ ଶିଖର ପୁରୁଷ

କାଠର କଣ୍ଢେଇ ହାତ ନାହିଁ ପାଦ ନାହିଁ

ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ

କହି ମୋତେ ଭୁଲାଅନା ଶୁଣ ମୋ ଗୁହାରୀ ଆଜନ୍ମ ସତୀର୍ଥ ମୋର ହେ ବିଶ୍ୱବିହାରୀ

ଲୁଚାଅନା ସକକ ସମର୍ଥ୍ୟ

ରକ୍ତ ବୀର୍ଯ୍ୟ ସ୍ବପ୍ନ ସମ୍ଭାବନା

ସୃଜନର ସକଳ କଳ୍ପନା ଶ୍ରେଷ୍ଠ ନିରଜନା

ଆସ ଆସ ମୋ ପୂର୍ବ ପୁରୁଷ

ନୀଳ କନ୍ଦରରୁ ଆସ ନୀଳ ଜନ୍ମ ନୀଳ ମୃତ୍ୟୁ 

ନୀଳ ସ୍ବପ୍ନ ନୀଳ ନୀଳ ଶୋଷ

ଘନ ଘୋର ଅନ୍ଧାରରେ ଆସ

ଦୀପାଳି ଜାଳୁଛି ଆଜି 

ବାଇଶି ପାହାଚ ତଳେ

ଆଲୋକିତ ଅନ୍ଧାରର ଯାତ୍ରାହେଉ ଶେଷ।।

ଶଙ୍କର୍ଷଣ ପରିଡା

ସଭାପତି

ଓଡ଼ିଆ ଯୁବଲେଖକ ସମ୍ମେଳନ,ଓଡ଼ିଶା

ଇନ୍ଦ୍ରପ୍ରସ୍ଥ, ପୁରୀ -୨

ସ୍ୱରସେତୁ-୯୪୩୭୦୩୪୫୫୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract