ଉତ୍ତର ମେଘ
ଉତ୍ତର ମେଘ
ବଉଦ ଓଢଣୀ ଟାଣି ପବନର
ପଣତ ଉଡେଇ
ବେଦରଦୀ ଦୁଷ୍ଟ ଝିଅ ଝୁମ୍ପୁଡିର କଣାଛାତ କେରପାଲ ଡେଇଁ
ଝରି ଝରି ଝରିପଡ଼େ ନିଚିପର ନିପାପୋଛା ମାଟିଘରେ
ମେଘର ମୃଦଙ୍ଗ ପିଟି ଟିଣ ଥାଳିଆରେ।
ବର୍ଷା ଝରେ ବର୍ଷା ଝୁରେ
ବର୍ଷାମାରେ ପଇଁତରା
ଏ ସହର ସାରା
ଗଭାରେ ଗୁନ୍ଥିଛି ତାର
ଚିକ୍ ମିକ୍ ବିଜୁଳି ଗଜରା।
ପ୍ରକୃତିର ଅଲିଅଳୀ ରାଜଜେମା
ଋତୁରାଣୀ ଅନୁଢ଼l କୁଆଁରୀ
ବିରହର ବଜ୍ରବଂଶୀ
ସୃଜନର ଶ୍ୟାମଳ ସାୟରୀ
ବର୍ଷା ଏବେ ଆନମନା ଭୁଲିଲେଣି ନିଜର ଠିକଣା,
କାଁ ଭାଁ ଦେଖାହୁଏ ବାଟବଣା ବାରବୁଲି ଝିଅ
ମଣିଷର ଖିଆଲଠୁ ଖିଆଲିସେ
ବୁଝେନାହିଁ ପ୍ରକୃତିର କୋହ।
ଆଷାଢ଼ର ଅସଜଡା ବର୍ଷା କାହିଁ
ବର୍ଷାକାହିଁ ଶ୍ରାବଣ ମେଘରେ
ବର୍ଷା କାହିଁ ଆକାଶରେ
ବର୍ଷାକାହିଁ ତମାଳ ବନରେ
ବର୍ଷା ଝରେ ବର୍ଷା ଝୁରେ ବିରହ
ବିଧୁର ସ୍ୱରେ ଆଖିର ଏ
କୋରକିତ ପଦ୍ମ ପାଖୁଡ଼ାରେ ।।
ଶଙ୍କର୍ଷଣ ପରିଡା
ଇନ୍ଦ୍ରପ୍ରସ୍ଥ
ପୁରୀ-୭୫୨୦୦୨
sankarparidapuri@gmail.com
Tel-9437034550
