କାଗଜ ଡଙ୍ଗା
କାଗଜ ଡଙ୍ଗା
ଯାଆ ଯାଆ ଭାସି ଯାଆରେ
ମୋର କାଗଜ ଡଙ୍ଗା
ମନଟି ତୋହର ନିଶ୍ଚୟ
ହେବ ପବିତ୍ର ଗଙ୍ଗା ।
ବାଟେ କେତେ ସାଥୀ ଭେଟି ତୁ
ଲଭି ଅପାର ସୁଖ
ଓଳି ଝର ପାଣି ଭୁଲିବୁ
ସ୍ମରି ଅତୀତ ଲୋକ ।
ଦିନେ ଏ ଉତ୍କଳ ମାଟିର
ସାଧବ ପୁଅମାନେ
ବେପାର ବଣିଜେ ବାହାରୁ-
ଥିଲେ ହରଷ ମନେ ।
ମେଲାଇ ଦରିଆ ବୁକୁରେ
ପାଲ ଟଣା ନାଆଟି
ଲଦି ନେଉଥିଲେ ସାମଗ୍ରୀ
ଯାହା ଉତ୍କଳ ଭେଟି ।
ସିଂହଳ ସୁମାତ୍ରା ବୋର୍ଣ୍ଣିଓ
ଜାଭା ଆଦି ଦୀପରେ
ବଣିଜରେ ଧନ ରତନ
କେତେ ଯେ ଆଣୁଥିଲେ ।
ଗରବ ଗୌରବ ସେମାନେ
ଉତ୍କଳର ସମ୍ମାନ
କାଳବକ୍ଷେ ଦେଇ ଅଛନ୍ତି
ସ୍ୱାକ୍ଷର ଅମଳିନ ।
ପାରାଦୀପେ ଏବେ ଜାହାଜ
ଲାଗେ ଭେଳାକୁ ଭେଳା
ବନ୍ଦର ରୂପରେ ଶୋଭିତ
ବେଳା ବିପଣୀମାଳା ।
ଆଜି ଯେ କାର୍ତ୍ତିକ ପୂର୍ଣ୍ଣିମା
ସେହି ସ୍ମୃତି ବହନ
ବୃହତ୍ କ୍ଷୁଦ୍ର ଜଳାଶୟେ
ହୁଏ ଡଙ୍ଗା ଭସାଣ ।
ଦୋହଲି ଦୋହଲି ତଉଲି
ଧାଉଁଥିବୁ ଆଗକୁ
ସାଥୀମେଳେ ବାଣ୍ଟୁଥିବୁ ତୁ
ନିଜ ସୁଖଦୁଃଖକୁ ।
କାଗଜେ ଗଢ଼ା ତୋ ଶରୀର
ସୁଅ ମୁହେଁ ପତର
ତଥାପି କେବେ ବି ମନରେ
ଭୟ ନଥାଏ ତୋର ।
ବାଳକ ମନରେ ଅପାର
ହରଷ ଭରି ଦେଇ
ପାଠ ସହ ଯୋଡ଼ି ହୋଇଛୁ
ତା'ର ଶିକ୍ଷଣ ପାଇଁ ।
ଗଣିତ ପାଠରେ ତୋହର
ପରା ବେଶି ଆଦର
ଜ୍ୟାମିତିକ ଆକୃତି ଧରି
କରୁ ତା' ମନେ ଘର ।
ବାଳକଠୁ ବୃଦ୍ଧ ପର୍ଯ୍ୟନ୍ତ
ତୋତେ ନଭୁଲି କେହି
ଗଢ଼ିବା ପ୍ରଣାଳୀ ଶିଖାନ୍ତି
ଉତ୍ସାହ ଭରି ଦେଇ ।
ପିଢ଼ି ପରେ ପିଢ଼ି ନଭୁଲି
ତୋ କମନୀୟ ରୂପ
ଭାଙ୍ଗ ପକାଇ ଗଢ଼ୁଥିବେ
ଭାବି ଉଜ୍ଜ୍ୱଳ ଦୀପ ।
କ୍ଷୁଦ୍ର ହେଲେ ବି ତୋ' ଶରୀର
ମହାନତା ଭରିଛି
ଅନ୍ତଃଚକ୍ଷୁ ଯେ ନିକ୍ଷେପିଛି
ସିଏ ବୁଝି ପାରିଛି ।