ଜୟ ଯବାନ୍
ଜୟ ଯବାନ୍
କିଏରେ ଚଣ୍ଡାଳ ବେଗେ ହୁଅ ହୁସିଆର
ମୁଁ ଅଟେ ବୀର ଯବାନ ଭାରତ ମାତାର l
ପଣ ମୁଁ କରିଛି ପଛେ ଶିର ଦେବି କାଟି
ମାତୃ ଭୂମିରୁ ଦେବିନି ଟିପେ ମାତ୍ର ମାଟି l
ଧନ୍ୟ ହେ ବୀରଯବାନ ଧନ୍ୟ ମହାଯୋଗୀ
ଦେଶସ୍ୱାର୍ଥମେଧ ଯାଗେ ହୋଇଅଛ ଭୋଗୀ l
ହେ ବୀର ଯବାନ ସୀମା ଜାଗ୍ରତପ୍ରହରୀ
ହୁଙ୍କାରେ ତୁମର ଶତ୍ରୁ ପଳାଉଛି ଡରି l
ରକତ ତୁମ ହିଆରେ ଫୁଟେ ଟକ ମକ
ଶିରାଳ ଯୁଗଳ ହାତେ କୃପାଣ ବନ୍ଧୁକ l
ଜନମ ତୁମର ମାତା ମାନ ରକ୍ଷା ପାଇଁ
ବାଜି ଜୀବନକୁ ଦେଇଛ ପାଣି ଛଡ଼ାଇ l
ଖରା, ଵର୍ଷା,ଶୀତ,ହିମ ନାହିଁଟି ଖାତର
ଜନମ ମାଟିର ସେବା ବ୍ରତଟି ମାତର l
ସୀମାରେ ଶୁଭଇ ତୁମ ବୀରତ୍ୱ ହୁଙ୍କାର
ହୁଙ୍କାର ସେ ନୁହେଁ ମାତୃପ୍ରେମର ଝଙ୍କାର l
ତୁମଲାଗି ଆମେ ଶୋଉ ନିଶ୍ଚୟ ଶାନ୍ତିରେ
ନିଦ୍ରା ନାହିଁ ତୁମ୍ଭ କିନ୍ତୁ ରାତ୍ରେ ଦିବସରେ l
ତୁମ୍ଭ ଲାଗି ଆମ୍ଭ ଝଣ୍ଡା ସଦା ଅଛି ଉଚ୍ଚା
ତ୍ରିରଙ୍ଗା ତଳେ ଜଣାଉ କୋଟିଏ ଶୁଭେଚ୍ଛା l
ତୋପେ ଗୁଡ଼ୁମ ଜୟ ହେ ଭାରତ କମାଣ
ହଜାରେ ସଲାମ ତୁଝେ ହେ ବୀର ଯବାନ l
