ଜୀବନେ ସେ ଦୁଃଖପାଏ
ଜୀବନେ ସେ ଦୁଃଖପାଏ
ଶୁକ୍ଳପକ୍ଷ ରାତି ଚନ୍ଦ୍ର ଆଲୋକରେ
ଜ୍ୟୋସ୍ନାଭରା ହୋଇଥାଏ,
ଶୀତଳ ଜୋସ୍ନାରେ ଜୀବ ଜଗତକୁ
କେତେ ଖୁସି ମିଳିଯାଏ,
ତଥାପି ଦୁନିଆ ଚନ୍ଦ୍ର ଦେବତାଙ୍କୁ
କଳଙ୍କିତ ବୋଲି କହେ.....
ଦେଖିଛ କି କେବେ ଜହ୍ନ ଆଲୁଅରେ
ଦୁନିଆ ଟା ଜଳିଯାଏ ?
ସୂରୁଜ କିରଣ ମଥା ଡେଇଁଗଲେ
ମୁଣ୍ଡଫଟା ଖରାହୁଏ
ପ୍ରଚଣ୍ଡ ଉତ୍ତାପ ଦେହରେ ବାଜିଲେ
କଷ୍ଟ ଅନୁଭବ ହୁଏ,
ଶୀତ ମଧ୍ୟାହ୍ନରେ ସେହି ସୂର୍ଯ୍ୟ ଦେବ
ଦେହକୁ ଉଷ୍ମତା ଦିଏ,
କହିଛିକି କିଏ ଏଇ ସଂସାରକୁ
ସୂର୍ଯ୍ୟ ଦେବ ଲୋଡା ନୁହେଁ ?
ଗୋଲାପ ଫୁଲ ବି ସଭିଙ୍କ ହୃଦୟେ
କେତେଖୁସି ଭରିଦିଏ,
ନିଜେ ଛିଡିଯାଇ ଅନ୍ୟକୁ ଯୋଡଇ
ନିଜଠାରୁ ଦୂରହୁଏ,
ଗୋଲାପ ପାଖୁଡା ନରମ ହେଲେବି
ଡାଳେ ତାର କଣ୍ଟାଥାଏ,
କଣ୍ଟାଭରା ସେଇ ଗୋଲାପ ଗଛକୁ
ମନ୍ଦ ବୋଲି କିଏ କହେ ?
ଭଲମନ୍ଦ ଲୋକ ସବୁଠି ଥାଆନ୍ତି
ସଭିଙ୍କ ଚାହିଦା ଥାଏ,
ଖଳଲୋକ ଖଳ କଥା ତ କୁହନ୍ତି,
ଭଲଲୋକ ଭଲ କୁହେ,
ସୁଗୁଣରେ ଭରା ଚରିତ୍ରଟି ଥିଲେ
ଭଲ ସଂପର୍କଟେ ହୁଏ,
ଭଲମନ୍ଦ ଯିଏ ନ ବୁଝି ପାରିବ
ଜୀବନେ ସେ ଦୁଃଖ ପାଏ...।
