ଜଗି ବସିଥାଏ
ଜଗି ବସିଥାଏ
ଅହଂକାର ଜଗି ବସିଥାଏ
ବାଘଟିଏ ପରି ଏକ ଧ୍ୟାନରେ ,
ଟିକିଏ ଉଦାରତା
କି ଓଦା ହୃଦୟ ପାଇଲେ
ଖେଦିଆସି ଝିଙ୍କିନିଏ
ତୋତେ ମୋ ଠାରୁ ,
ଆତ୍ମାକୁ ଦେହ ଠାରୁ
ଆଉ ପଥରରୁ ଠାକୁରକୁ ।
ମରିବା ପୂର୍ବରୁ ସେ
ଅସରନ୍ତି ଆଉ ଅସହ୍ୟ ଦୁଃଖର
ମଞ୍ଜି ବୁଣିଦେଇ ଯିବ ,
ବ୍ଯାପିଯିବାକୁ ପିଢ଼ି ପରେ ପିଢ଼ି ଯାଏଁ ।
ଜୀବନାଟା କାଳେ କିଛି ନୁହେଁ
ଖାଲି ଯା ମିଛ ଅଭିନୟ ମାତ୍ର ।
ଯେ ଯେତେ ନିଖୁଣ ଅଭିନୟ କରିପାରେ
ସେ ସେତେ କାଢ଼ୁଆ , ଟାଣୁଆ ବୋଲି
ପ୍ରଚାରିତ ହୁଏ ,
ଆଦର ଆଉ ସମ୍ମାନ ଜିଣେ ।
ସେ ବି ହୃଦୟରେ
ହିଂସା ଘୃଣା ଆଉ ଦୁଃଖ ସାଇତି
ବୁଦ୍ଧ ମହାତ୍ମାର ଅଭିନୟ କରିବ
ଶାନ୍ତି , କରୁଣା ଆଉ ପ୍ରେମ
ଏହି ତିନୋଟି ମୁଖାକୁ
ମୁହଁରେ ବାନ୍ଧି ବୁଲିବ ।
ତା'ର ପରପିଢ଼ିର କାନରେ ବି
ସେ ଏ ଗୁରୁମନ୍ତ୍ର ଫୁଙ୍କିଦେଇଯିବ ।
ଅହଂକାର ଜଗି ବସିଥାଏ ....