ହସି ହସେଇବା ଧରା
ହସି ହସେଇବା ଧରା
ଆସ ରୋଇଦେବା ଜାତି ଜାତି ଗଛ
ବରଷାକୁ ସାକ୍ଷୀ ରଖି
ବନାନୀ ମୁହଁରେ ଫୁଟାଇବା ହସ
ଆଉ ପଦେ କଥା ଲେଖି ।
ଧରଣୀ ରାଣୀର ଆଖିରୁ ପୋଛିବା
ଝରି ପଡୁଥିବା ଲୁହ
ହାତରେ ହାତକୁ ମିଶାଇ ସଭିଏଁ
ଆଉଁସିବା ତାର ଦେହ ।
କେତେ ଯେ ଯାତନା ସହିଛି ଜୀବନେ
ଦେବାପାଇଁ ଟିକେ ଖୁସି
ହେଲେ ଏ ମଣିଷ ସୁଖର ନିଶାରେ
ଭୂଲିଅଛି ଦିବା ନିଶି ।
ପଚାରିନି କେବେ କେମିତି ଅଛୁ ତୁ
କହଲୋ ବନାନୀ ଥରେ
'ଆହା' ବୋଲି କେବେ ପାଟିରୁ ପଦିଏ
ବାହାରିନି ତା' ଆଗରେ ।
ତଥାପି ବାଣ୍ଟିଛି ଫୁଲ,ଫଳ,ଛାଇ
ଖରା,ବରଷା ଓ ଶୀତ
ଆଖିରେ ଦେଇଛି ଅସରା ସପନ
ପବନରେ ଗାଇ ଗୀତ ।
କେତେ ପଶୁ,ପକ୍ଷୀ ପାହାଡ଼ି ଝରଣା
ଜୀବନ ସଙ୍ଗୀତ ଗାଇ
ହସି ଖେଳି ବୁଲି ନାଚନ୍ତି ଖୁସିରେ
ତୋ ଶେଯରେ ଶୋଇ ଶୋଇ ।
ତୋ ପାଇଁ ନାଚୁଛି ଏ ସାରା ଜଗତ
ବିଲ,ବାଡି,ନଈ,ନାଳ
ଆକାଶୁ ଝରୁଛି ବରଷାର ଟୋପା
ଚିରକାଳ ଚିରକାଳ ।
ଆସ ବାପା,ଭାଇ,ବନ୍ଧୁ ଓ ବାନ୍ଧବ
ଆସ ସାଙ୍ଗସାଥି ମୋର
ଧରଣୀ ରାଣୀକୁ ସଜେଇବା ବସି
ହୋଇ ସବୁ ଏକାକାର ।
ସବୁଜ ପଣତେ ଲେଖିବା କାହାଣୀ
ହସି ହସେଇବା ଧରା
ଏଇ ମାଟି ପୁଣି ମହକି ଉଠିବ
ଆମରି ହାତରେ ପରା ।