ଗୋଲାପ ପରି
ଗୋଲାପ ପରି
ଗୋଲାପ ପରି ଗୋଲାପି ଓଠେ
ଯେବେ ତୁ ଦେଉ ହସି
ସାରା ବଗୀଚା ଖୁସିରେ ଝୁମେ
ଦେଖେ ମୁଁ ଲୁଚି ବସି ||୧ ||
ଫୁଲର ଡ଼ାଲା ହାତରେ ଧରି
ଯେବେ ତୁ ନହିଁ ପଡୁ
ପଣତ କାନି ଖସେ ମଥାରୁ
ଦେଖେ ମୁଁ ଛାଡି ଝାଡୁ ||୨ ||
କଳା ଭଅଁର ମୁକୁଳା କେଶ
ଯେବେ ତୁ ଦେଉ ଖୋଲି
ବାଦଲ କୋଳେ କାଳିଆ ମେଘ
ଦେଖେ ମୁଁ ଖିଲି ଖିଲି ||୩ ||
ଶାଢୀ କାନିକୁ କେଶ ରାଶିକୁ
ଯେବେ ତୁ ନେଉ ଖୋସି
ତାରା ଫୁଲରେ ଅଗଣା ହସେ
ଦେଖେ ମୁଁ ବସି ବସି ||୪ ||
ହସି ହସିକା ସରାଗୀ ପ୍ରିୟା
ଯେବେ ତୁ ନେଉ ଫୁଲ
ସଜ ଗୋଲାପ ଫିକା ପଡିବ
ଦେଖେ ମୁଁ ଝଲ ମଲ ||୫ ||
ଡେମ୍ଫର କଣ୍ଟା ମୁଣ୍ଡିଆ ଥୁଣ୍ଟା
ଯେବେ ସେ ଫୋଡି ଯାଏ
ଚମ୍ପା କଢିକୁ ଚୁମିବା ପାଇଁ
ଭାବେ ମୁଁ ହାଏ ହାଏ ||୬ ||
ଲମ୍ବା ଡେମ୍ଫକୁ କଣ୍ଟା ଝଟାକୁ
ଯେବେ ତୁ ଦେଉ ଆଢି
ପ୍ରିୟା ପରଶ ଆଦିମ ଛୁଆଁ
ଦେଖେ ମୁଁ ଯାଏ ବଢି ||୭ ||
ଗଛକୁ ଗଛ ଫୁଲକୁ ଫୁଲ
ଯେବେ ତୁ ଖୋଜୁ ହଜି
ଝରକା କଡେ ସପନ ନିଡ଼େ
ଦେଖେ ମୁଁ ନୀତି ମଜ୍ଜି ||୮ ||
ଗୋଲାପ ପାଖୁଡା ଚନ୍ଦ୍ର ମୁଖଡା
ଯେବେ ତୁ ଦେଉ ଚାହିଁ
ମନ ଉଦ୍ୟାନେ କଡମ୍ବ ଫୁଟେ
ଦେଖେ ମୁଁ ହାଇଁ ପାଇଁ ||୯ ||
ଗୋଲାପ କଳି ଗୋଲାପ ଧରି
ଯେବେ ତୁ ବେଗି ଆସୁ
ଅଗଣା ଘର ବାରି ଦୁଆର
ଦେଖେ ମୁଁ ହସୁ ହସୁ ||୧୦ ||
