ଘାସଫୁଲ ଗୁଗୁଚି
ଘାସଫୁଲ ଗୁଗୁଚି
ଘାସଫୁଲ ମୁହିଁ ଗୁଗୁଚିଟିଏ ମୁଁ
ବିଲ ବଣ ବୁଦେ ଥାଏ
ବେଶୀ ନ ହେଲେ ବି ଥରେ ଅଧେ କିଏ
କେବେ ମୋତେ ଲୋଡିଥାଏ ।
କାହା ଉପକାର ନ କରିଲେ ନାହିଁ
କ୍ଷତି ବି ତ କରେ ନାହିଁ
ମୋ ଭିତରେ ଯିଏ ପଶି ଯାଇଥାଏ
ତା'ଠି ଲାଗିଥାଏ ମୁହିଁ ।
ତା ଦେହରେ ଲାଗେ ତା' ପିନ୍ଧା ପୋଷାକେ
ଭଲପାଏ ବୋଲି ତାଙ୍କୁ
କଣ୍ଟି ହେଇଯାଏ ଦେହରେ ମୁଁ ଯେବେ
ଫିଙ୍ଗି ଦ୍ୟନ୍ତି ବାହାରକୁ ।
ଗୋଟି ଗୋଟି କରି ବାହାର କରନ୍ତି
ମନେ ଗାଳି ଅସୁମାରୀ
ତାଙ୍କ ହାତ ସ୍ପର୍ଶେ ସେଇ ଗାଳି ମୋତେ
ଲାଗଇ ଚନ୍ଦନ ପରି ।
ଟିକିଏ ଦୁଷ୍ଟ ମୁଁ ଟିକିଏ ଚଗଲା
ପବନ ସାଥୀରେ ଖେଳେ
ସମସ୍ତଙ୍କ ଦେହେ ଲାଗୁଥାଏ ମୁହିଁ
ଥାନ୍ତୁ ଯେତେ ସାଙ୍ଗ ମେଳେ ।
କେତେବେଳେ ଗାଈ ଗୋରୁ ପଶୁ ପାଦେ
ଦଳା ଚକଟା ମୁଁ ହୁଏ
କେତେବେଳେ ଠିଆହୋଇ ମୁହିଁ ନୀଳ
ଆକାଶକୁ ଚାହିଁଥାଏ ।
ଘାସଫୁଲ ହେଲେ କଣ୍ଟା ବି ତ ଥାଏ
ଦିଏନା ବେଶୀ ଆଘାତ
କେବେ କେବେ ଚର୍ମ ଉପରେ ଲାଗିଲେ
ବହେ ବି ଟିକେ ରକତ ।
ବାହାର କରିବା ଜଣାଥିଲେ ମୋତେ
ସହଜେ ବାହାରିଯାଏ
ନ ଜାଣିପାରିଲେ ସକାଳରୁ ଯାଇ
ସଞ୍ଜ ସରି ରାତି ହୁଏ ।
ମୁଁ ଲାଗିଥିଲେ ସେଇ ଲୁଗାକୁ ତ
ପିନ୍ଧି ପାରନ୍ତିନି କେହି
ସୂକ୍ଷ୍ମ କଣ୍ଟା ମୋର ଦେହେ ଗେଞ୍ଜି ହୁଏ
ଗାଳି ଖାଉଥାଏ ମୁହିଁ ।
ମୋ ଦେହରେ ଔଷଧୀୟର ଗୁଣ
ଭରପୁର ରହିଥାଏ
ଯିଏ ଜାଣିଥାଏ ସେ ନେଇଥାଏ ମୁଁ
ଉପକାରୀ ସାଥୀଟିଏ ।
ବାଟ ମଙ୍ଗଳାର ପୂଜାର ବିଧିରେ
ମୁଁ ଲୋଡା ହୋଇଥାଏ
ତବତ ଖଣ୍ଡା ବୋଲି କହିଥାନ୍ତି ମୋତେ
ସୁରକ୍ଷା କବଚ ହୁଏ ।
ବଜ୍ରମୂଳି ସାଥେ ମୋତେ ପୂଜିଥାନ୍ତି
ପିଲାଙ୍କ ମଙ୍ଗଳା ପାଇଁ
କେତେ ରୋଗରୁ ସେ ଆରୋଗ୍ଯ ହୁଅନ୍ତି
ମୋତେ ଯିଏ ଥାନ୍ତି ଖାଇ ।
ପିଲାମାନେ ମୋତେ ନେଇ ଖେଳିଥାନ୍ତି
ଖୁସି ଲାଗେ ସତେ କେତେ
ଦିନ ତାରା କହି ଲଗେଇ ଦିଅନ୍ତି
ସେମାନଙ୍କ ହାତେ ମୋତେ ।
ବରଷା ଋତୁରେ ବିଲ ମାହାଳରେ
ମୁଁ ବେଶୀ ଦେଖାଯାଏ
କୃଷକ ଭାଇର ଲୁଗା ପଟା ଦେହେ
ମୁଁ ବେଶୀ ଲାଗିଥାଏ ।
ଶୀତ ଋତୁରେ ବି ରହିଥାଏ ମୁହିଁ
ଫୁଲରୁ ଗୁଗୁଚି ହୁଏ
ଟିକି ଟିକି ମୁହିଁ ଧୋବ ଫରଫର
ଉପରେ ଠିପି ମୋ ଥାଏ ।
ଧାନ କେଣ୍ଡାପରି ସଜା ହୋଇଥାଏ
ତଳରୁ ଉପର ଯାଏ
ଛୋଟ ଥିଲାବେଳେ କାଠି ପରି ମୁହିଁ
ଧୂସର ବର୍ଣ୍ଣ ମୋ ହୁଏ ।
ଅତି ସୂକ୍ଷ୍ମ ମୁହିଁ ଚିମୁଡିଣ ଦେଲେ
ଟାଣ ଟିକେ ଲାଗୁଥାଏ
ମୋତେ ବାଛିବାଟା ବେଶୀ ଚିଡା ଲାଗେ
ନିତି କେତେ ଗାଳି ଖାଏ ।
ମଣିଷ ସ୍ୱଭାବ ମଣିଷ ଛାଡିନି
ମୁଁ ତ ଇତର ମାତ୍ର
କେମିତି ଛାଡିବି ସ୍ଵଭାବ ମୋହର
ଲେଖା ଯାହା ମୋର ଗାତ୍ର ।
ଯିଏ ଯାହା ଯେତେ ମୋତେ କହୁଥାଉ
କିବା ମୋର ଆସେ ଯାଏ
କାହାର କଥାକୁ ନା ଶୁଣେ ମୁହିଁ ନା
କର୍ଣ୍ଣପାତ କରୁଥାଏ ।
ଦୁଃଖ ନାହିଁ ଘାସଫୁଲ ଗୁଗୁଚି ମୁଁ
ନାହିଁ ମୋର ଟିକେ ଦୁଃଖ
ମୋ ଦୁନିଆରେ ଭଲରେ ମୁଁ ଅଛି
ସେଇତ ମୋହର ସୁଖ ।