ଏତେ ବର୍ଷ ବିତିଗଲା ପରେ
ଏତେ ବର୍ଷ ବିତିଗଲା ପରେ
ନିର୍ଜନ ବେଳାଭୂମିରେ
ବସି ଭାବୁ ଥାଏ
ତୁମରି କଥା ।
ଅଶାନ୍ତ ଢେଉ ତାଳେ ତାଳେ
ମାନସ ପଟଳେ ଭାସି ଆସୁଥାଏ
ଅତୀତର ଗୋଟି ଗୋଟି କଥା ।
ଭୁଲ ତ ନଥିଲା କାହାରି
ତଥାପି ବିହି ଦେଇଥିଲା
ସମ୍ପର୍କରେ ବିଚ୍ଛେଦ ଲେଖି ।
ଆଉ ସେ ପୁରୁଣା କଥାର
ପୁନରାବୃତ୍ତି କରି କି ଲାଭ
ଯଦି ଏତିକି ଯଂତ୍ରଣା ବିଧାତା ଦେଇଥିଲା
ଭାଗ୍ୟରେ ଲେଖି ।
ଆଶା କରେ ତୁମେ ଖୁସିରେ ଥିବ
ଏତେ ବର୍ଷ ବିତି ଗଲା ପରେ ।
ହେଲେ ତୁମେ କି ଜାଣିବ
ମୋ ହୃଦୟର ବେଦନା
ଆଜି ବି ତୁମକୁ ନିତି ଝୁରେ ।
ସମୟ ତାଳେ ତାଳେ
ମଣିଷ ବଦଳେ,
ହେଲେ ବଦଳାଇ ନାହିଁ କେବେ ନିଜକୁ।
ଆଜି ବି ନିତି ଚାହିଁ ରହିଥାଏ
ତୁମରି ଫେରିବା ପଥକୁ ।