ସବୁ ଅଟେ ମାୟା ସଂସାର
ସବୁ ଅଟେ ମାୟା ସଂସାର
ଏ ଦୁନିଆଁରେ ନୁହେଁ କେହି ତୋ ନିଜର
ସମସ୍ତେ ଅଟନ୍ତି ତୋ ପାଇଁ ପର;
ସ୍ବାର୍ଥ ସରିଗଲେ ଭୁଲି ତ ଯିବେ
କରି ଚାଲିଯିବେ ସାତ ପର ।।
ମିଛଟାରେ ଆଉ ଝରାନା ତୁ ଲୁହ
ସଭିଁଙ୍କୁ ଭାବି ନିଜର;
କେହି ନୁହେଁ ଏଠି କାହାର ରେ ଭାଈ
ସବୁ ଅଟେ ମାୟା ସଂସାର ।।
ମରୀଚିକା ପଛେ କାହିଁ ଧାଉଁ ଅଛୁ
ହୋଇ କିରେ ଵାୟା ସମ;
ଉଦ୍ଧରିବୁ ଯଦି ଏ ଭବ ସାଗରୁ
ନିତି ଭଜୁଥା ଶ୍ରୀ ଜଗନ୍ନାଥ ନାମ ।।
ବେଲ ଥାଉଁ ଥାଉଁ ବାନ୍ଧିଥା ବନ୍ଧରେ
ନିତ୍ୟେ କରି ପୁଣ୍ୟ କାମ;
ଅନ୍ତ କାଳେ ତୋ'ତେ ରଖିବେ ହରି ରେ,
ସାର୍ଥକ ହେବ ତୋ ମଣିଷ ଜନମ ।।
କେତେ ବାନ୍ଧୁଅଛୁ ମୋହର ଏ ଜାଲ,
ସବୁ ଏଠି ରହିଯିବ;
କର୍ମ ଫଳ ତୋର ସାଥେ ଚାଲିଥିବ,
ଯେବେ ପିଣ୍ଡରୁ ପ୍ରାଣ ଛାଡ଼ିବ ।।
ଶେଷେ ଯିବା ବେଳେ ଶ୍ମଶାନ କୋକେଇ,
ହେବ ତୋର ଶେଷ ସାଥୀ;
ଜଳିପୋଡ଼ି ସବୁ ପାଉଁଶ ହୋଇବ,
ରହିବନି କାହାର ସ୍ଥିତି ।।
ତେଣୁ ଗର୍ବ ତେଜି, ଧର୍ମ ପଥେ ଖୋଜି,
ପାଆ ଶାନ୍ତି ଅବିରାମ;
ଶେଷ ବେଳେ ଯେବେ ତୁଣ୍ଡେ ଥିବ ତୋର,
ସେହି ଜଗନ୍ନାଥ ନାମ ।।
