ଏଇ ମାଟି ମୋ ଚନ୍ଦନ
ଏଇ ମାଟି ମୋ ଚନ୍ଦନ
ଏଇ ମାଟି ମୋ ଚନ୍ଦନ ଗଢ଼ି ଦିଏ ମୋ ଜୀବନ
ପାଦେ ତାର କୋଟି କୋଟି ମୋର ନମନ
ମା' କୋଳେ ଜନମି ଯେବେଠୁ ପଡ଼ିଛି ଲୋଟି
ଚାଲିଛି ଶିଖି କରମ ପଥରୁ ଯାଇନି ମୁଁ ହଟି
ଦେଉଛି ତା' ହୃଦୟରୁ ସ୍ନେହ ମମତା ଅନୁରାଗ
ଜୀବନର ପଥେ ମୋ ଆଣି ଦିଏ ସୌଭାଗ୍ୟ
ଯୋଗାଇ ଖାଦ୍ୟ ବସ୍ତ୍ର ବାସଗୃହ କରୁଛି ଯୋଗ୍ୟ
ହସ ଖୁସିରେ ରହି ମୁଁ କରୁଛି ଯେତେ ଉପଭୋଗ
ତା' ପାଣି ପବନ ମୋ ପ୍ରାଣକୁ ରଖେ ବଞ୍ଚାଇ
ଆଗକୁ ଆଗକୁ ନେଉଛି ମୋତେ ବାଟ ଦେଖାଇ
ଅଳି ଅର୍ଦ୍ଦଳି ମୋର ସହୁଛି ସବୁ ନକରି ଅଭିଯୋଗ
କୋଳେ ରହି ତାର ପାଏ ମୁଁ ସବୁ ସୁଯୋଗ
ଏଇ ମାଟି ମୋ ଚନ୍ଦନ ତାକୁ ପ୍ରଣମି ଜଣାଏ ସମ୍ମାନ
ଏଇ ମାଟି ଦିଏ ଆହାର ଯା' ଲାଗି ମୋ ଜୀବନ
ଶରଧା ଢ଼ାଳି ଜନନୀ ପରି ପାଳୁଛି ସିଏ ମୋତେ
ସର୍ବଂସହା ହୋଇ କରୁଛି ତ୍ୟାଗ ଅଯାଚିତେ
ରଖେ ସୁସ୍ଥ ସବଳ ମୋ ଶରୀର ରହେ ନିରୋଗ
ହସ ଖୁସି ଆନନ୍ଦ କେତେ ମୁଁ କରେ ସବୁ ଉପଯୋଗ
ବଣ ବିଲ ନଦୀ ପାହାଡ଼ ତାର ଲାଗେ ମନୋହର
ସୌନ୍ଦର୍ଯ୍ୟରେ ତାର ହୁଏ ମୁଁ ଯେ ଆତ୍ମ ବିଭୋର
ମନେ ବୁଣିଦିଏ ମୋର ପ୍ରେମ ପ୍ରୀତିର ପରାଗ
ମୋର ଭାବ ଭକ୍ତି ସବୁ ତା' ପାଇଁ କରେ ଉତ୍ସର୍ଗ
ତା' ସବୁଜ ଗଛ ଲତାରେ ଫୁଲ ଫୁଟେ ନାନା ଜାତି
ମହକି ମହକାଏ ମୋ ଘର ଅଗଣା ଦିନରାତି
ମୋ ସେବା ଯତନ ଲାଗି ଅଛି ତାର ଭାରି ସରାଗ
ଏଇ ମାଟି ମୋ ଚନ୍ଦନ ଶୀତଳ କରେ ସନ୍ତପ୍ତ ପ୍ରାଣ
ଫଳାଇ ସିଏ ପାଚିଲା ଫଳ ନିଏ ମୋ ମନ ମୋହି
ଅମୃତମୟ ସ୍ବାଦ ତାର ଦିଏ ବହୁ ଯାତନା ସହି
ମୋ ବିକାଶ ପ୍ରକାଶ ଲାଗି ସଦା କରେ ସହଯୋଗ
ଶକ୍ତି ସାମର୍ଥ୍ୟ ଦିଏ ମୋତେ କରିବାକୁ ପ୍ରୟୋଗ
ବାପା ମା' ଆତ୍ମୀୟ ବନ୍ଧୁ ଶୁଭାକାଂକ୍ଷୀ କରନ୍ତି ଶ୍ରଦ୍ଧା
ଅତୁଟ ପବିତ୍ର ସଂପର୍କରେ ମୋ ଜୀବନ ଏଠି ବନ୍ଧା
ମାଆ ମାଟିର ବରଦାନ ପାଇ ହୁଏ ମୁଁ ଚିରଋଣୀ
ତା' ଯଶର ଟେକ ରଖି ହେବି ଦୁନିଆଁରେ ଅଗ୍ରଣୀ
ମାତୃଭୂମିର ଏକତା ସଂହତି ରଖିବି ମୁଁ ଅମ୍ଳାନ
ଏଇ ମାଟି ମୋ ଚନ୍ଦନ ତା' ପାଦେ କୋଟିଏ ନମନ।
