STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ

ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ

1 min
270

    


ତୁମେ ମାଆ ଦୁର୍ଗା ମହିଷମର୍ଦ୍ଧନୀ

        ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ,

ତୁମ ପାଦେ ପ୍ରଣତି ମାଆ ତାରିଣୀ

      ଅଭୟ ଦିଅ ଗୋ କଲ୍ୟାଣକାରିଣୀ।

ଶରତକୁ ନେଇ ଆଶ୍ଵିନ ଆସିଛି 

         ବିନୟେ ସ୍ବାଗତ ତୁମକୁ କରୁଛି,

ସ୍ଵଚ୍ଛ ଶୁଭ୍ର ସ୍ନିଗ୍ଧ ଶୋଭାରେ ମଣ୍ଡିଛି

        କାଶତଣ୍ଡି ଫୁଲ ଧରାରେ ଫୁଟିଛି।

ଶାରଦୀୟ ଆକାଶ ନୀଳିମାମୟ

         ସୁନ୍ଦର ପ୍ରକୃତି ଯେ ସବୁଜମୟ,

ନିରିମଳ ମନ ପବିତ୍ର ହୃଦୟ

        ତୁମ ଚରଣରେ ମାଗୁଛି ଆଶ୍ରୟ।

ଅବତରୀ ଆସ ମାଆ ଧରାଧାମେ

         ଭକତି ଚିତ୍ତରେ ତୁମକୁ ପ୍ରଣମେ,

ଅପାର କରୁଣା ଢାଳି ଦିଅ ତୁମେ

      ସାହା ହୁଅ ମାତା ଜନମେ ଜନମେ।

ଦୁଃଖ ଯାତନାର ଜଞ୍ଜାଳ ଜଗତ

        ଶୁଣ ଗୋ ଆରତଜନଙ୍କ ଆରତ,

ତୁମ ଆଶିଷ ବରଷୁ ଅବିରତ

       ମନେ ସାହସ ଶକତି ହେଉ ଜାତ।

ତୁମେ କରୁଣାମୟୀ ଗୋ କାତ୍ୟାୟିନୀ

       ତୁମେ ଦୟାମୟୀ ଅଭୟଦାୟିନୀ,

ବିଶ୍ବ ବ୍ରହ୍ମାଣ୍ଡରେ ତୁମେ ମା' ତାରିଣୀ

        ତୁମକୁ ସ୍ତୁତି କରୁ ସକଳ ପ୍ରାଣୀ।

ବିପଦ କାଳରେ ହୁଅ ଗୋ ସହାୟ

        ମନ ହୃଦୟରୁ ଦୂର ହେଉ ଭୟ,

ସଂସାରକୁ କର ତୁମେ ନିରାମୟ

     ଦୂର ହେଉ ଦୁଃଖ ପାପ ହେଉ କ୍ଷୟ।

ନାଶିଲ ଅସୁର ଯେ ମହିଷାସୁର

        ସାରା ଜଗତକୁ କଲ ତ ଉଦ୍ଧାର,

ଘୁଞ୍ଚାଇଲ ତୁମେ ମେଦିନୀର ଭାର

        ଆଶ୍ବସ୍ତି ଲଭିଲେ ଏ ସଚରାଚର।

ସେ ଭାବରେ ମାତା କର ଗୋ ମଙ୍ଗଳ

      ପଡ଼ିଛି ଏବେ ତ ଘୋର କଳି କାଳ,

ଦିନୁ ଦିନ ବଢ଼େ ସଂସାରେ ଜଞ୍ଜାଳ

       ସଂକଟେ ଜୀବନ ହୁଏ ଟଳମଳ।

କୃପା କର ମାଆ ପ୍ରଣତି ଯେ ଘେନି

       ସୁଖ ଶାନ୍ତି ତୃପ୍ତି ଦିଅ ବାରେ ଆଣି,

ତୁମେ କରୁଣାମୟୀ ଜଗତ୍ଜନନୀ

       ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract