ଦୁଃଖ ଦେଇଗଲେ ଦରଦୀ ବନ୍ଧୁ
ଦୁଃଖ ଦେଇଗଲେ ଦରଦୀ ବନ୍ଧୁ
କି କହିବି ସଖି ପ୍ରାଣ ମିତଣୀ ଲୋ
କଳାକାହ୍ନୁ ଦଗାଦିଆ
କଣ୍ଟ ଦେଇଥିଲେ ନିଶ୍ଚୟ ଆସିବେ
ଉଛୁର କରନ୍ତି କିଆଁ
ଜଳୁଛି ଧଇର୍ଯ୍ୟ ବନ
ତେଜି ମୁଁ ସଦନ ଅସହ୍ୟ ବିରହେ
ଭ୍ରମେ କୁଞ୍ଜ ଉପବନ ।
କୃଷ୍ଣ ଅଭିସାରେ ବିଳପେ ହୃଦୟ
ଘାରେ ମନସିଜ ଜ୍ଜ୍ୱର
ଚିତ୍ତକୁ ବିକାରେ କୋକିଳର କୁହୁ
ମଳୟ ମନ୍ଦ ସମୀର
ଉଚ୍ଚାଟଇ ବଂଶୀସ୍ଵନ
ଦେଖିବାକୁ ପ୍ରିୟ ଚାରୁ ଚନ୍ଦ୍ର ମୁଖ
ମନ ମୋ ହୁଏ ଉଚ୍ଛନ୍ନ ।
ରମ୍ୟ ବୃନ୍ଦାବନେ ପ୍ରବହେ ଯମୁନା
ସୁନୀଳ ଜଳ ତରଙ୍ଗ
ଦିଶେ ପ୍ରତିବିମ୍ବ ମୁକୁଳେ କଦମ୍ବ
ଆହ୍ୱାନେ ବାସ ଚନ୍ଦନ
ଶିହରେ ଦେହେ ପୁଲକ
ଶ୍ରୀହରି ଚରଣ ବାସେ ପଦ୍ମରାଗ
ଲୋଲୁପେ ମନ ମଧୁପ ।
ସରସ ସୁନ୍ଦର ଋତୁ ମଧୁମାସ
ବିଭୋର ପ୍ରାଣ ଅଧୀର
ଦୁଃଖ ଦେଇଗଲେ ଦରଦୀ ବନ୍ଧୁ ମୋ
ଭାବିଲେ କି ମୋତେ ପର
କୁହ ମୁଁ କରିବି କିସ
ନିରାଶ କରିଲେ ଶ୍ରୀକୃଷ୍ଣ କେଶବ
ହଳାହଳ ଲାଗେ ବିଷ ।
କରି ଆଲିଙ୍ଗନ ପ୍ରବୋଧନ୍ତି ସଖି
ଭାବ ବିନୋଦିଆ ହରି
ବେଣୁଧର କୃଷ୍ଣ ରସ ରାସେଶ୍ବର
କରିବେନି ବେଶୀ ଡେରି
ହରି ନାମ ସୁଧାରସ
ରଙ୍ଗର ଅବିର ବୋଳି ହୋଇ ମୁହେଁ
ସୁଜନେ ବିଷାଦ ନାଶ ।