ଚଷାଭାଇର ଠିକଣା
ଚଷାଭାଇର ଠିକଣା
ହଳ ଲଙ୍ଗଳ କାନ୍ଧରେ ଥୋଇ
ତେଲ ମଖା ପାଞ୍ଚଣ ଲହରେଇ
ନାଲା-ହାଟୁଆ ଆଗରେ ଅଡେଇ
ଲୁଙ୍ଗି ଉପରେ ଖୋର୍ଦ୍ଧା ଗାମୁଛା କଷେଇ
କଳା ମୁଗୁନିପଥର ପରି ମଚମଚ
ପୁଙ୍ଗୁଳା ହାଡୁଆ ଦେହରେ ତରତର
ବେଗେ ଧାଇଁ
ରାଉତ ସାହିର
ଗଦାଭାଇ କୁ ଦେଖିଲେ
ଟିଭସନ୍ ଯାଉଥିବା ମୁଁ
ସାହିତ୍ୟ ବହିର ଚଷାଭାଇ ବୁଝିଯାଏ
ଶାସ୍ତ୍ରୀଙ୍କର "ଜୟ କିସାନ୍" ସ୍ଳୋଗାନ୍
ଦୂରଦର୍ଶନର ଅନ୍ନଦାତା ମନେ ପକାଏ ।
କେଇ ଗୁଣ୍ଡା ପଖାଳ ପାଟିରେ ପୁରେଇ
ବେଲେ ତୋରାଣୀଙ୍କୁ ଟାଙ୍କି ଦେଇ
କଂଚାଲଙ୍କା - ପିଆଜ- ଲୁଣକୁ ମିଶେଇ
ତିଅଣ ଭାବି ଜିଭକୁ ଭଣ୍ଡେଇ
ଅନାଇ ଦେଲେ ସୁନାର କ୍ଷେତକୁ
ଜେଜେମା' କହେ
ସବୁ ଚାଷିଭାଇ ମାନେ ଭୁଲିଯାଆନ୍ତି
ଭଂଗା କାନ୍ଥର ପାକୁଆ ହସ
ବର୍ଷା ପାଣିରେ ସନ୍ତସନ୍ତ ପରିବେଶ
ପିଲାଙ୍କ ଭୋକିଲା ମୁଁହର ଭଗ୍ନାଂଶ
ଘରଣୀର ବିକଳ ଚାହାଣୀ ତଳେ ଆହତ ଅବଶୋଷ
ଆବଶ୍ୟକତା ଓ ଉତ୍ପାଦନର ସମୀକରଣ
ଲାଭ - କ୍ଷତିର ଗୁଣନ ହରଣ
ସୁଖା- ମରୁଡିର ଭାବି ସମ୍ଭାବନା
ଲଘୁଚାପ ବର୍ଷା ବଢି
ର ତାଡନା
ଜାଣିଛୁ ପୁଅ
ଚଷା ହୁଡିଲେ ବରଷେ
ଭାଷା ବୁଡିଲେ ପୁରେଷେ ।
କିନ୍ତୁ ଅଧୁନା---
ଜନ୍ତରମନ୍ତରେ ଚାଷୀ ଆନ୍ଦୋଳନ
କୃଷି କାନୁନ୍ ସମୂଳ ଉଚ୍ଛେଦନ
ଏମ୍ଏସପି ,ଚାଷି ପଞ୍ଜିକରଣ
ଅଭାବୀ ଧାନ ବିକ୍ରୀ ସାଙ୍ଗକୁ
ସମବାୟ ସମିତିର ବାଟମାରଣ
କୀଟନାଶକ ପିଇ କ୍ଷେତ କଡ଼ରେ ଆତ୍ମହତ୍ୟା
ଋଣଭାରରେ ହାତୀ ଉପଦ୍ରବରେ
ସମସ୍ୟା ଜାଲରେ ଛନ୍ଦି ବନ୍ଦି
ମାଟିର ମଣିଷ ଆପଣେଉଛି ଶରଶଯ୍ୟା
କାହିଁକି କାହିଁକି ?
ଅନ୍ନଦାତା ଆଜି ପରିସ୍ଥିତିର ଦାସ
ବାଧ୍ୟ ଦାଦନ ଶ୍ରମିକ ବିଦେଶ
କ୍ଷେତ ଶୁଖି ଟାଙ୍ଗରା
ପଡ଼ିଆ ପଡିଛି ଅପନ୍ତରା
ଧୂଳି କାଦୁଅରେ ଘାଣ୍ଟିବାକୁ
ମାଟି ସହିତ ପିଣ୍ଡୁଳା ହେବାକୁ
ନାକ ଟେକୁଛନ୍ତି ଯୁବକ ସବୁ
ବିଦେଶରେ ଥାଳି ଧୋଇବେ ବରଂ
ଚାଷ କରିବେନି
ଜିନ୍ ପ୍ୟାଣ୍ଟ ପିନ୍ଦି ଶୋଇବେ ବରଂ
ହଳ ଶିଖିବେନି
କାହିଁକି କାହିଁକି ?
ଉତ୍ତୁଙ୍ଗ ସମସ୍ୟାର ଆଶୁ ସମାଧାନ
ଦିଶୁନାହିଁ କାହିଁ
ଚାଷ କାମ ଯାହାର କି ଆନନ୍ଦ ତାହାର
ଆଉ ଶୁଭୁନାହିଁ ।