ଚିରିଦିଅ ସେଇ ଫର୍ଦ୍ଦ
ଚିରିଦିଅ ସେଇ ଫର୍ଦ୍ଦ
ଯେବେ ଆସିଥିଲି ଜୀବନେ ତୁମର
ଆଜି ଚିରିଦିଅ ସେଇ ଫର୍ଦ୍ଦ
କାଢି ଦିଅ ସେଇ ହୃଦୟ ଭିତରୁ
ଆଜି ହେବନି ଆଉ ସେ ଦର୍ଦ
ନିବେସ କରନି ନୟନ ମୁକୁତା
ଆଜି କରନି ଆଉ ସେ ଖର୍ଚ୍ଚ
ବନ୍ଧକ ରଖନି ପ୍ରେମକୁ ତୁମର
ଆଜି ବଢ଼ାନି ଆଉ ସେ କର୍ଜ
ମଙ୍ଗଳ ମାନସି ଓଷା ବ୍ରତ କରି
ଆଜି ଯାଅନି ଆଉ ସେ ତୀର୍ଥ
ପଡ଼ିଥିଲ ଯେଁଉ କୁହୁଡି ଉଲ୍ଲାସେ
ଆଜି ଖୋଳନି ଆଉ ସେ ଗର୍ତ୍ତ
ବିଜୟ ହୁଅନି ସମୟ ସୁଅରେ
ଆଜି ଜିତନି ଆଉ ସେ ଧର୍ମ
ଗାଅନି ଗୁଣ ଗାରିମା ଦାଣ୍ଡରେ
ଆଜି କରନି ଆଉ ସେ ଗର୍ବ
ଅପେକ୍ଷା କରନି ଯୋଡା ଆଷାଢ଼କୁ
ଆଜି ଗଣାନି ଆଉ ସେ ବର୍ଷ
ଭୋକିଲା ରୁହନି କ୍ଷୀର ସର ଦେଇ
ଆଜି ପାଳନି ଆଉ ସେ ସର୍ପ
ପ୍ରାସାଦ ଭାବନି ବାଲିଘର ଟିଏ
ଆଜି ଗଢନି ଆଉ ସେ ଦୂର୍ଗ
ବାଖାଣନି ଆଉ ବ୍ୟଙ୍ଗ ଗପ ସବୁ
ଆଜି ବୁଝାନି ଆଉ ସେ ମର୍ମ
ଶୁଭେଚ୍ଛା ଦିଅନି ଜନମ ଦିନର
ଆଜି ପାଳନି ଆଉ ସେ ପର୍ବ
ବଞ୍ଚି ପାରିବନି ମୋରି ବ୍ୟତୀତ
ଆଜି ରଖନି ଆଉ ସେ ସର୍ତ୍ତ
ବିମୁଗ୍ଧ ହୁଅନି ରକ୍ତିମ ଆଶାରେ
ଆଜି ଉଁଆନି ଆଉ ସେ ଅର୍କ
ଗାଉଥିଲ ଯେଉଁ ପ୍ରେମର କବିତା
ଆଜି ଭୁଲିଯାଅ ସବୁ ଅର୍ଥ
ଯେବେ ଆସିଥିଲି ଜୀବନେ ତୁମର
ଆଜି ଚିରିଦିଅ ସେଇ ଫର୍ଦ୍ଦ l
