ବୟସର ସାୟାହ୍ନରେ
ବୟସର ସାୟାହ୍ନରେ


ବୟସର ସାୟାହ୍ନରେ ମୃତ୍ୟୁ ଆସି ବାରମ୍ବାର,
ମୋ' ଦୁଆରେ ଛିଡ଼ାହୋଇ କବାଟ ପିଟୁଛି,
ତଥାପି ଏ ଲୋଭ ମୋହ ଅହଂ ଭରା ହୃଦୟ ମୋ',
ମୃତ୍ୟୁ ଆଗମନୀ ରାସ୍ତା ଓଗାଳି ବସିଛି,
କର୍ମ ମୋର ଅତୀତର ସ୍ମୃତି ସାଜି ପାଦରେ ମୋ',
ମାୟାର ଶିକୁଳି ବାନ୍ଧି ପଛକୁ ଟାଣୁଛି,
କାହିଁକି ନା',
କର୍ମ ଗୁଣେ ଫଳ ମୋ'ର ଭୋଗିବାକୁ ଏ ଜୀବନେ,
ବୋଧହୁଏ ଆଉକିଛି ବକେୟା ରହିଛି।
ବାସ୍ତବରେ ମୋ'ପାଇଁକା ସ୍ବର୍ଗ ଆଉ ନର୍କ କଣ,
ଭିନ୍ନ ହୋଇ ଆଉକୋଉ ଦୁନିଆରେ ଅଛି?
ଚାଲୁ ଚାଲୁ ଜୀବନର ଚଲାବାଟେ ମୋ'ନିଜର,
କର୍ମ ପାଇଁ ଯାହା ଯଶ କୀର୍ତ୍ତି ମୁଁ'ପାଇଛି,
ସେଇ ଥିଲା ମୋ'ପାଇଁକା ସବୁଠୁ ସରଗ ସୁଖ,
ଆଜି ତ
ାହା ଭଲଭାବେ ମୁଁ ବୁଝିପାରୁଛି,
ସେଥିପାଇଁ,
ଏବେ ମୋ'ମନର ପାପ ନରକ ଜାଲରେ ଛନ୍ଦି,
ସକାଳରୁ ସଞ୍ଜ ନିତି ଜୀଅନ୍ତା ଜାଳୁଛି।
ପାର୍ଥିବ ଶରୀର ମୋର ପଥ ହୁଡି ଗଲାପରେ,
ଯନ୍ତ୍ରଣାର ଜଉଘରେ ସନ୍ତାପି ହେଉଛି,
ଜରାଜୀର୍ଣ୍ଣ ମୋ' ଦେହଟା ଗ୍ଲାନିର ଅଶୃରେ ଖାଲି,
ଦୁଃଖର ନଈ ତୁଠରେ ସ୍ନାହାନ କରୁଛି,
ଥରଥର ଆଖିପତା ବୋଲ ମାନୁନାହିଁ ଜମା,
ମୋ' ଅନିଚ୍ଛା ସତ୍ତ୍ବେ ବି ସେ ଆଉଜି ଯାଉଛି,
କାହିଁକି ନା'
ମୋ' ଛାତିର ହୃଦୟଟା ଶେଷ ସ୍ପନ୍ଦନ ପାଇଁକା,
ଅନ୍ତିମ ଶ୍ୱାସ କ୍ରିୟାକୁ ଅପେକ୍ଷା କରିଛି।
ତିମିର ଚନ୍ଦ୍ର ମହାପାତ୍ର (ଦିପୁ)