ବୟସର ଅପରାହ୍ନ
ବୟସର ଅପରାହ୍ନ
ସମୟର ଗତି ଥମି ଯାଇଛି ,
ଜୀବନର ବେଳାଭୂମିରେ ଆଜି ସଞ୍ଜ ନଇଁ ଆସିଛି |
ଛାଇ ଆଲୁଅର ଛକା ପଞ୍ଝା ଖେଳରେ ସବୁ କିଛି ଝାପସା ଦିଶୁଛି ,
ନାହିଁ ସେହି ଅତୀତର କୋଳାହଳ ନାଁ ଅଛି ଭବିଷ୍ୟତ ସ୍ୱପ୍ନର ମେଲଣ |
ବୟସର ଅପରାହ୍ନରେ ଆଜି ମୁଁ ଅଖୋଜା ଅଲୋଡ଼ା ,
ଜନ୍ମରୁ ମୄତ୍ୟୁ ଭିତରର ଚଲାପଥରେ ଏକ ପରିତ୍ୟକ୍ତ ପର୍ଯ୍ୟାୟ |
ଆଜି ଆତ୍ମା କରେ ପରମାତ୍ମାକୁ ଅଳି ,
ହେ ସ୍ରଷ୍ଟା ! ଏତେ ବଡ଼ ସଂସାରର କଣ ଏହି ଘୃଣ୍ୟ ନିୟମ ?
ହାତ ଧରି ଚାଲି ଶିଖେଇ ଥିବା ପିତାମାତା କେବେଠୁ ଗଲେଣି ବାହୁଡ଼ି ,
ତାତା ମାମା ବୋଲି ଶିଖେଇ ଅନ୍ଧକାର ଗର୍ଭରୁ ଯାହାକୁ ଦୁନିଆର ଆଲୋକ ଦେଖେଇଲି ,
ଜ୍ଞାନ ବିଜ୍ଞାନର ମାୟାଜାଲରେ ପଡ଼ି ମୋ ବାଇ ଚଢ଼େଇ କେବେଠୁ ଗଲାଣି ପରଦେଶକୁ ଉଡ଼ି|
ବାହୁଡ଼ା ବାଟରେ ଆରତୀ ସଜାଡି ପୂଜାରୀ ହେଇ କେତେ ଯେ ଦୀପାଳି ଜାଳିଲି ,
ଜନ୍ମ ,ବାଲ୍ୟ ,ଯୌବନ ସବୁ କର୍ମର ଆଜି ମୁଁ ମାନସ ମଂଥନ କରିଚାଲୁଛି ,
ତଥାପି ମୋ ମାପକାଠି ତୋ ସୃଷ୍ଟିର ପ୍ରବାହକୁ ବିଶ୍ଲେଷଣ କରିବାରେ ଅସମର୍ଥ |
ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକଟେର ଆଉ କଣ ବା ସାମର୍ଥ୍ୟ |
ବୟସର ଅପରାହ୍ନ ଆଜି ଖୋଜୁଛି କେବଳ ତାର ଶେଷ ସଂକୀର୍ତନ ………………………..
