ବ୍ୟଙ୍ଗ କବିତା : ପର ଦରବ ଭାରି ସୁନ୍ଦର
ବ୍ୟଙ୍ଗ କବିତା : ପର ଦରବ ଭାରି ସୁନ୍ଦର


ପର ଦରବ ଭାରି ସୁନ୍ଦର ମହମହକି ବାସେ,
ପର ସଂପତ୍ତି ଅଳପ ଥିଲେ ଅଧିକ ହୋଇ ଦିଶେ ।
ପରର ସୁଖ ଦେଖିଲେ ମନେ ଲାଗି ଯାଉଛି ନିଆଁ,
ପରର ଦୁଃଖ ଦେଖିଲେ ସିନା କହନ୍ତି ଆହା ଆହା ।
ପର ପିଲାଟା ପଢିଲେ ଭଲ ମୋ ପିଲା ଖାଏ ମାଡ଼,
ପର ଝିଅଟା ସୁନ୍ଦରୀ ହେଲେ ଜଳି ଉଠେ ମୋ ହାଡ଼ ।
ପରଘର କି ଗାଡ଼ିକୁ ଦେଖି ମନଟା ହାଇଁପାଇଁ,
ପର ମଣିଷ କଷ୍ଟ କି ଶ୍ରମ ଆଖିକୁ ଦିଶେନାହିଁ ।
ପର ଘରର ଶାଗ ପଖାଳ ଭାରି ସୁଆଦ ଲାଗେ,
ପର ବାଡ଼ିରେ ଫୁଲକୁ ଦେଖି ଈଶ୍ୱର ଭକ୍ତି ଜାଗେ ।
ପର ଗାଈର କ୍ଷୀର ପତଳା ବଦଳ ଭାରି ଦୁଷ୍ଟ,
ପର କୁକୁର ଭୁକେନା ଯଦି ହୁଏ ସେ ଶାନ୍ତ ଶିଷ୍ଟ ।
ପର ପିଣ୍ଡାରେ ବସି ଗପିଲେ ସୁଖରେ ଦିନଯାଏ ,
ପରଲୋକଙ୍କୁ କରିଲେ ନିନ୍ଦା ମନ ହାଲୁକା ହୁଏ ।
#ସିଧାକଥା-୩୮