STORYMIRROR

Gorachand Das

Fantasy

3  

Gorachand Das

Fantasy

ବୃଷ୍ଟି ବୁନ୍ଦା

ବୃଷ୍ଟି ବୁନ୍ଦା

1 min
27.7K


ବୃଷ୍ଟି ବୁନ୍ଦା


ଆଷାଢର ବର୍ଷଣ ମୁଖର ସଂଧ୍ୟାରେ
କଳା ମେଘ ଢାଙ୍କିଥିଲା ଆକାଶକୁ ଦୁଇ ପାପୁଲିରେ
ଜହ୍ନ ତାରା ସବୁ ଯାଇଥିଲେ ଲୁଚି
ଆକାଶରେ ବିଛା ଥିଲା ମେଘର ଚାଦର
ଝରୁଥିଲା ବରଷାର ବୁନ୍ଦା ବୁନ୍ଦା ଜଳ
ଉପଭୋଗ କରୁଥିଲା ଶରୀର ଓ ପ୍ରାଣ
ଗାଲରେ ମୋ ବୃଷ୍ଟି ବୁନ୍ଦାର ଚୁମ୍ବନ


ଓଠରେ ଚାଖୁଥିଲି ବର୍ଷାର ସ୍ଵାଦ
ବୃଷ୍ଟି ବୁନ୍ଦାର ମାଟିରେ ପଡିବାର ଶବ୍ଦ
ସୃଷ୍ଟି କରୁଥିଲା ସଙ୍ଗୀତର ଛନ୍ଦ
ମାଟିରୁ ଉଠିଲା ଏକ ଅପୂର୍ବ ମହକ
ଆଘ୍ରାଣରେ ଛୁଇଁଲା ହୃଦୟ
ଛାଇଗଲା ସାରା ଦେହେ
ପାଇଲି ପ୍ରାଣରେ ଏକ ନୂତନ ପୁଲକ


ପଚାରିଲି ମୁଁ ବର୍ଷା ବୁନ୍ଦାକୁ “ ତୁ କିଏ ?
କ’ଣ ତୋ’ର ପରିଚୟ ?”
ସେ ଈଷତ ହସିଲା , ସ୍ୱଚ୍ଛ ହସ
ଏ ହସର ବିପରୀତ ଥିଲା ମୋ ପ୍ରେମିକାର ହସ
ଭରିଥାଏ ଯହିଁରେ ଅନେକ ରହସ୍ୟ
ଉପରେ ବୋଳା ପ୍ରେମର ଅମୃତ
ଭିତରେ ଲୁଚିଥାଏ ଛଳନାର ବିଷ ।


ଉତ୍ତର ଦେଲା ବର୍ଷା ବୁନ୍ଦା
“ ସବୁବେଳେ ସବୁଆଡେ ଦେଖ ମତେ
କ’ଣ ମତେ ଚିହ୍ନିପାରୁନ ସତରେ ? “
ମତେ ଲାଗିଲା ତା’ ଭାଷା
ଅବିକଳ ମୋ ପ୍ରେମିକାର
ଭୁରୁକୁ ନଚେଇ
କଥା କହିବାର ଛଟା ।


ମଉନ ମୁଁ , ପ୍ରଗଳ୍ଭ ବର୍ଷା ବୁନ୍ଦା
“ ମତେ ପାଇବ ତୁମେ
କୁଳୁକୁଳୁ ବହୁଥିବା ଝରଣାରେ
ନଦୀର ବନ୍ୟାରେ
ସମୁଦ୍ରର ଉଛଳ ଢେଉରେ
ମୌସୁମୀ ମେଘର କୋଳରେ
ତୁମ ପ୍ରେମିକାର ଆଖିର ଲୁହରେ” ।


କରିଥିଲି ପ୍ରଶ୍ନ
“ କାହିଁକି କରିଛ ଗ୍ରହଣ
ବହୁରୂପୀ ଯାଯାବର ଜୀବନ ?”
ପାଇଲି ଏକ ନିର୍ଜୀବ ଉତ୍ତର
ଥିଲା କିଛି ଅଭିଯୋଗ ଆଉ କିଛି ବ୍ୟଥା ହୃଦୟର
“ଏହା ତ ଦୁନିଆର ରୀତି
ପରିସ୍ଥିତି ସ୍ଥିରକରେ ରୂପ ଓ ସ୍ଥିତି”


ମନେ ପଡ଼ିଲା , ବିଦାୟ ବେଳାରେ ମୋ ପ୍ରେମିକା
ଦେଇଥିଲା କୈଫିୟତ ଆମ ବିଫଳ ପ୍ରେମର
“ଏଥିରେ ଦୋଷ ନାହିଁ କାହାର
ଏ ଖେଳ ସବୁ ଅଦୃଷ୍ଟ ଭାଗ୍ୟର
ପ୍ରେମ,ମିଳନ, ବିଚ୍ଛେଦ
ଏ ସବୁର ଶେଷ ନିଷ୍ପତ୍ତି
କେବଳ ନିଏ ପରିସ୍ଥିତି” ।


ସେତେବେଳେ କ’ଣ ବୁଝିଥିଲି
ପ୍ରେମିକାର ଉକ୍ତି ?
ଏବେ ବି ବୁଝିକି ପାରିଲି
ଯାହା କହିଗଲା ବୁନ୍ଦା ବୁନ୍ଦା ବୃଷ୍ଟି ?


Rate this content
Log in

Similar oriya poem from Fantasy