ବର୍ଷା
ବର୍ଷା
ଶୁଣ ! ଆଜି ସେ ଋଷିଛି
ଟିକେ ବର୍ଷି ଯା',ତାକୁ ବୁଝେଇ ଦେଇ ଯା' ।
ନ ହେଲେ, ମୁଁ ପବନକୁ ଶିଖେଇ ଦେବି
ତତେ କିଡନାପ କରି
ପ୍ରେମର ମଜା ଚଖେଇ ଦେବି ।
ଆକାଶରୁ ଜହ୍ନ ଚୋରେଇ ନେ
ତାରାକୁ ତୋ ଷ୍ଟୋଲରେ ବାନ୍ଧି
ତାକୁ ଧରେଇ ଦେ', ପାରୁଛୁ ଯଦି ଟିକେ ବୁଝେଇ ଦେ' ।
ପାହାଡକୁ କହ ଅପେକ୍ଷା କରୁ
ମୋ ପ୍ରିୟା ପାଖେ ଟିକେ ଅଟକି ଯା ।
ତା' ଆଖିରୁ ଲୁହ ପୋଛି ଦେ'
ନଚେତ ତତେ ବି ବର୍ଷିବା ମନା ।
ତୋ ଆଖିରୁ କଳା ଦେଇ
ତା' ଆଖିରେ କଜଳ ଭରି ଦେ',
ଗୋଟେ ତାରା ନେଇ, ତା ମଥାରେ ବିନ୍ଦିଟେ ଦେ' ।
ହଁ ଶୁଣ !
ତାକୁ ସୁନ୍ଦରୀ କରି ସଜେଇ ଦେ'
ନଚେତ ଇନ୍ଦ୍ରଧନୁର ରଙ୍ଗ ପୋଛି ଦେବି
ତୁ ବି ଅସୁନ୍ଦରୀ ଦିଶିବୁ
ଏ କଥା ବି ଜାଣି ଥା' ।
