ବଣମଲ୍ଲୀ
ବଣମଲ୍ଲୀ
ବଣରେ ଫୁଟିଛ ବୋଲି ନାଆଁ ସିନା ବଣମଲ୍ଲୀ,
ହେଲେ ତୁମେକେଉଁ ଗୁଣେ କମ୍ ନୁହେଁ ,
ମଣ୍ଡିବାକୁ ଅଳକାର ନନ୍ଦନକାନନ।
ଆକର୍ଷିତ କରିବାକୁ ଭ୍ରମରକୁ,
ତୁମ ପାଶେ ପ୍ରିତୀ ଅର୍ଘ୍ୟ ନେଇ।
ରୁପର ଚମକ ଆଉ ବାସର ମହକେ,
ମଧୁମଳୟ ପରଶେ ସାଜିଛ ଯୋଜନଗନ୍ଧା।
ତୁମର ସେ ସୁରଭିର ଆକର୍ଷଣେ,
ପରାସ୍ତ ମୁଁ ଆଜିର ଶାନ୍ତନୁ।
ପୁଲକିତ ତନୁ ମନେ,
ଖୋଜିବୁଲେ ତୁମର ସେ ମହୁଲି ମହକ।
ସ୍ଵୀକୃତି ଦେବାକୁ ଚାହେଁ,
ତୁମକୁ ମୋ ଚନ୍ଦ୍ରଶାଳା ପୁରେ।
ପବନରେ ଭାସି ଭାସି ଯୋଜନ ଯୋଜନ,
ସାଉଁଟିବାକୁ ଚାହେଁ ମୁଁ ତୁମର ସୁରଭି।
ହଜାଇ ଦେବାକୁ ଚାହେଁ ନିଜକୁ ମୁଁ,
ପବନରେ ହଲି ହଲି ଉଡୁଥିବା ,
ତୁମ ଧଳା ଓଢଣୀ ଭିତରେ।
ସଜାଇବାକୁ ଚାହେଁ ମୁଁ,
ତୁମକୁ ମୋ ମନ ବାଟିକା ରେ।
ଏଥିପାଇଁ ତୁମେ ମୋତେ ସ୍ଵୀକୃତି ଦେବତ?
ମଲିଫୁଲିଆ ତା ହସ,
ଝରିଗଲା ଆଞ୍ଜୁଳାରେ ମୋର।
ସେ ହସର କାଉଁରୀ ପରଶେ,
ଖେଳିଗଲା ଶିହରଣ ପ୍ରତି ଲୋମକୂପେ।
ତା ସୁରଭି ସୁରେ ସୁରେ ,
କହିଲା ସେ ବଣର ନାୟିକା-
ବଣର ମୁଁ ରାଜରାଣୀ ନାଆଁ ମୋର ବଣମଲ୍ଲୀ,
ବଞ୍ଚିବାକୁ ଚାହେଁ ମୁହିଁ ଖୋଲା ପବନରେ।
ଖୋଲା ବାଦଲ ଫାଙ୍କରେ,
ଚୁମିବାକୁ ଚାହେଁ ମୁହିଁ ଧବଳ ଜୋଛନା।
ବନରାଣୀ ବେଶ ଛାଡି,
ସାଜିବି ମୁଁ ଯଦି ତୁମ ମନର ମଲ୍ଲୀକା,
ତୁମେ ମୋର ଆତ୍ମା ସୁରଭି କୁ,
ଖୋଲା ପବନ ଢେଉରେ ଭାସିବାର ସୁଯୋଗ ଦେବତ?
ଛାଡି ପାରିବତ ମୋତେ ଖେଳିବାକୁ,
ଟିପିଟିପି କାକରରେ ଭିଜିଥିବା ଜହ୍ନରାତି ସହ?
ତୁମ ସ୍ଵୀକୃତି ସାଗରେ,
ମୋର ସେ ବିଭୁଦତ୍ତ ସ୍ଵାଧୀନତା ଝାସ ଦେବନି ତ?
ସେଥିପାଇଁ ,ନ ଥାଉ ମୋ ପାଶେ ପଛେ ଚନ୍ଦ୍ରଶାଳା ଅଙ୍କ,
ନ ଥାଉ ସେ ଅଳକା ର ନନ୍ଦନକାନନ,
ଥାଉ ମୋର ସ୍ଵାଧୀନତା,
ଖେଳିବାକୁ ଝୁଲି ଝୁଲି ପବନ ସହିତ,
ଭରି ଦେବାକୁ ସୁରଭି ସଭିଙ୍କର ମନେ।

