ବକ୍ରତୁଣ୍ଡ
ବକ୍ରତୁଣ୍ଡ
ଥୋକେ କହିବେ କହି ଚାଲିବେ
ଯେତେ ବୁଝେଇଲେ ବି
ତୁଣ୍ଡ ଖୋଲିବେ
ମୁଣ୍ଡ ଖାଇବେ
ସବୁ ସଂପର୍କ ଛାର ଖାର କରିବେ
କିଛି ସହିବେ ସହି ସହମି ରହିବେ
ଯେତେ ବୁଝେଇ କହିଲେ ବି
ତୁଣ୍ଡ ସିଇଁଦେବେ
ମୁଣ୍ଡ ଥଣ୍ଡେଇବେ
ସବୁ ସମୟରେ ଚୁପ୍ ରହିବେ
ତମାସା ଦେଖିବେ
ନିଆଁ ଲାଗିଲେ ବି ଦେଖିବେ ଚାହିଁବେ
କାଲା ପିଠିଆ
ମଲା ମୁଖିଆ
ଚେଇଁଥିବେ ବି ଶୋଇଥିବେ ବି
ମନେ ମନେ ଗପୁଥିବେ
କଣ୍ଠା ଡେଇଁବିନି
ପାଟି ଫିଟିବନି
ପୂରା ମଉନମୁହାଁ
ପୂରା ଗୋପନଚାହାଁ
କିଛି କହି କହି ହସିବେ ହସେଇବେ
ମିଠା ତୁଣ୍ଡରୁ ମିଶ୍ରି ବାଣ୍ଟିବେ
ଚନ୍ଦନ ବନ୍ଦନ ବାକ୍ୟ ବିନୋଦନ କରିବେ
ଚୁଗୁଲି କରୁଥିବେ
ପବନ ଉଡ଼େଇବେ
ମୌକା ମିଳିଗଲେ ଚଉକା ମାରିଦେବେ
କାଦୁଅ ନେସିଦେବେ
ଅଠା ମଖେଇଦେବେ
ଯାଗା ଅଯାଗାରେ
ଧୋଇ ଧୋଇ ଥକିବେ
ତୁଣ୍ଡରୁ ଖାଲି ଖଣ୍ଡ ଖଣ୍ଡ
ଖଣ୍ଡି କାଶ ଛାଡୁଥିବେ
କ ରୁ ଆରମ୍ଭ କରି ଗାଳି
କ୍ଷ ରେ ସରିବା ବେଳକୁ ପାଳି
ମନ ଆହୁରି ବୁଝୁ ନ ଥିବ
ଛାଡ଼ୁଥିବ ହାବାଳି
ମାରୁଥିବ କାହାଳି
ଭାବନ୍ତୁ ଥରେ
କିଏ ସତ କିଛି ମିଛ
କିଏ ମିଠା କିଏ ଖଟା
କିଏ ସରଳ କିଏ ଗରଳ
କିଏ ସମସ୍ୟା କିଏ ସମାଧାନ
କିଏ ସଂପର୍କ କରେ ଛିନ୍ନ ଭିନ୍ନ
କିଏ ସଂଵନ୍ଧ ଯୋଡେ ଅଙ୍ଗପରି ଅଭିନ୍ନ
କିଏ ମିଶ୍ରିବୋଳା ତୁଣ୍ଡେ ବି ଭାଙ୍ଗେ ଗଣ୍ଡ
କିଏ ବକ୍ରତୁଣ୍ଡେ ବି ଯୋଡ଼େ ମୁଣ୍ଡିଆ ମୁଣ୍ଡ
ସରଳ ସମୀକରଣ ପରି ଅସ୍ଥିମଜ୍ଜାଗତ ଅଚ୍ଛିନ୍ନ ।
