STORYMIRROR

Panchanan Jena

Abstract

3  

Panchanan Jena

Abstract

ବିଳାପୀ ବନ୍ଦିତା

ବିଳାପୀ ବନ୍ଦିତା

2 mins
258

ସ୍ଵପ୍ନ ଦେଖେ ବନ୍ଦିତା

ରାତ୍ରିର କୋଳରେ

ଶେଯର ଦୋଳିରେ ।

ବିଚାରୀ ବନ୍ଦିନୀ ବନ୍ଦିତା

ସକାଳୁ ସଞ୍ଜଯାଏ

ଅଳିରୁ ଅର୍ଦ୍ଧଳି ଯାଏ ।

ଭାବିବାକୁ ବେଳ ପାଏନା ବନ୍ଦିତା

ଦିନରେ ସ୍ଵପ୍ନ ପାଇଁ ସମୟ କାହିଁ ?

ସମସ୍ତେ ଥିବେ ଯେ ଚେଇଁ ।

ତେଣୁ ସ୍ଵପ୍ନ ଦେଖେ ବନ୍ଦିତା

ରାତ୍ରିର ଦୋଳିରେ

ଶେଯର କୋଳରେ ।

ମିଛ ! ମିଛ ! ଡାହା ମିଛ !

ସ୍ଵପ୍ନ ନୁହେଁ

ବିଳବିଳାଏ ବିଛଣାରେ ବନ୍ଦିତା ।

ନିଦତକ ବିଚାରୀ ବନ୍ଦିତାର ଏକାନ୍ତ ନିଜର

ନିଦୁଆ ହସୁଆ ମଖମଲି ଶେଯର ସଂଭାର ।

ଫ୍ରକ ପିନ୍ଧା ସେ ପାଦେ ନାଲି ଚପଲ ଡ଼େଉଁଛି ହସୁଛି

ନାଲି ରିବନବନ୍ଧା ଚୁଟିରେ ଘର ଅଗଣା ଉଠୁଛି ପଡୁଛି ।

ଖିଲି ଖିଲି ହସର ପସରା

ସାଙ୍ଗ ସାଥି ମେଳର ଆସରା ।

ପାଚିଲା ଧାନକ୍ଷେତର ପଟାଳି

ପଶ୍ଚିମ ଆକାଶେ ସ୍ଵର୍ଣାଭ ବର୍ଣାଳୀ ।

କିତିକିତି ସାଙ୍ଗକୁ ଖପରାକାତି ଖେଳ

କଙ୍କି ଧରା ବୋହୁଚୋରି ପୁଚିର ମେଳ ।

ବଢିଯାଏ ଦେହର ଭୂଗୋଳ -ସ୍ଥାପତ୍ୟ

ଝଲସିଯାଏ ମୁଁହର ଚନ୍ଦ୍ରମା-ଔଜଲ୍ୟ ।

କଲେଜ କାନ୍ଥରେ କି'ଏ ଗାରେଇ ଦିଏ ତା' ନାଁ

ଯୌବନର ପ୍ରଥମ ପୁଲକରେ ଦେହ ମନ ଭାଁ ଭାଁ ।

ତରୁଣ ପ୍ରେମିକର ସେ ସାଜିଛି ମମତାଜ

ତୃଷିତ ଓଠର ସେ ବାଞ୍ଛିତ ସେହେନାଜ

ଦରଦୀ ଚିତ୍ରକର କେନଭାସରେ ସେ ମୋନାଲିସା

ଡହରା ଛତରା ପାଇଁ ସେ ଈପ୍ସିତ ଲେଡି ଦୁର୍ବାସା ।

ଅଭିମାନିନୀ ମୌନାବତୀ ସେ ବନ୍ଦିତା

ତନୁପାତଳୀ ବିମୁଗ୍ଧା ସୁନ୍ଦରୀ ରୂପସୀ ନାୟିକା ।

ଖୋଜିବୁଲେ ଅଗନା ଅଗନି ବାଲିଯାତ୍ରାର ଭିଡ଼ରେ

ବେଲୁନପରି ଫୁଙ୍କିଥିବା ପ୍ରିୟତମ

ଓଠରେ ଓଠ ଘଷିଥିବା ଘନଶ୍ୟାମ

ଲମ୍ବା କବରୀରେ ଗୁନ୍ଥିଥିବା ମଲ୍ଲୀମାଳର ରସିକବର

ବାହୁ ଯୁଗଳ ବନ୍ଦୀ ଶାଳାର ସ୍ଵାମୀ ନଟନାଗର

ସିନ୍ଥୀକୁ ସିନ୍ଦୁର ଦେଇଥିବା ଇହ କାଳ ପର କାଳର ଦେବତା

ଜୀବନର ଚଲାପଥେ ଖରା ଛାଇ ସମ ଆଲୋକବର୍ତ୍ତିକା ।

ଚିପା ଚିପା ହସ ତଳେ ଅନାବିଳ ପ୍ରେମ ଢାଳେ

ଚେନା ଚେନା ହସ ଛଳେ ମହ ମହ ଗନ୍ଧ ବଳେ

ଖିଲି ଖିଲି ଯଉବନ ଢଳ ଢଳ ମନ- ଉପବନ

ସୁନେଲି ସପନ ଡେଣା ରୂପେଲି ନଈଟେ ବଣା

କୁନ୍ତଳା କବରୀ ଧାରା ମଲ୍ଲୀ ଫୁଲର ପସରା

ସମୟ ସାଗର ତୀରେ ପ୍ରିୟତମ କଥା ନିତି ଝୁରେ ।

ଥରେ ଥରେ ବେଳେ ବେଳେ କେବେ କେବେ

ଅନ୍ଧାରର ତମ ଡ଼େଇଁ

କି'ଏ ଜଣେ ଆସେ

ପାଖରେ ବସେ

ଛୁଏଁ ତା'ର ଦେହ -ତନୁ ଛୁଏଁ ତା'ର ମନ-ଯୌବନ

ସ୍ଵପ୍ନ ସବୁ ହୁଏ ଫଗୁଣିତ ପଲ୍ଲବିତ

ଶୂନ୍ୟତା ଶୁଭେ ସାହାନାଇ ପରି

ନୀରବତା ମଣେ ସମର୍ପଣ ଶର୍ବରୀ

ବେଣୀ ମୂଳେ ଅଙ୍କାହୁଏ ଅସୁମାରି ଚୁମାର ଚିହ୍ନ

ଚିବୁକ ତଳେ ଖର ନିଶ୍ଵାସର ଗମନା -ଗମନ

ଦେହରେ ଇନ୍ଦ୍ରିୟରେ ଧୂନି ଜଳେ

ମନଇଚ୍ଛା ପୁଇଁ ହୁଏ ରାତିସାରା ନିଦରେ ବନ୍ଦିତା ।

ସ୍ଵପ୍ନ ଦେଖେ ବିଚାରୀ ବନ୍ଦିତା

ରାତ୍ରିର କୋଳରେ

ସ୍ଵପ୍ନ ଦେଖେ ବନ୍ଦିନୀ ବନ୍ଦିତା

ଶେଯର ଦୋଳିରେ

ସ୍ଵପ୍ନ ନୁହେଁ ବିଳାପୀ ବନ୍ଦିତା

ବିଳବିଳାଉଥାଏ ବିଛଣାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract