ଭକ୍ତିପୁଷ୍ପ-୩୦
ଭକ୍ତିପୁଷ୍ପ-୩୦
ପଛ କରି ନିଶି
ଚାଲି ଗଲେ ରୁଷି
ଉଷା ଆଗମନ ଯେଣୁ ,
ଯମୁନାର ପାଣି
ବହୁଛି ଉଜାଣି
ଆସ ଯିବା ଡାକେ ବେଣୁ ।
ବେଣୁପାଣି ରାଗି
ବେଣୁ ଦେବେ ଭାଙ୍ଗି
ଡେରି କର ଜାଣି ଜାଣି ,
ବସିଥିବ ରୁଷି
ଭାଙ୍ଗିବ କଳସୀ
ପିଇବକି ବାସି ପାଣି ?
କାହ୍ନୁରେ ଦର୍ଶନ
ନାହିଁ ଯଦି ମନ
ନଗଲେ ନଯାଅ କେହି ,
ଯିଏ ଯାହା କହୁ
ବେଳ ନାହିଁ ଆଉ
ଏକା ଏକା ଯିବି ମୁହିଁ ।
ଶାଶୁଙ୍କ କଥାରେ
ଯିବାକୁ ସାଥିରେ
ଏତେ ଖୋସାମତ କରେ ,
ତମେ ବି ଛୋପରୀ
ଜାଣି କର ଡେରି
ଛଟପଟ ହେଇ ମରେ ।
କି ବୁଦ୍ଧି କରିବି
କେତେବା ସହିବି
ବିରହ ଯାତନା ସହୀ,
ପିଣ୍ଡ ସିନା ଏଠି
ପ୍ରାଣ ତ କାହ୍ନୁଠି
ମହତ ମୋ' ହାତେ ନାହିଁ ।
