ଭାବସମୁଦ୍ର
ଭାବସମୁଦ୍ର
ହଜିଯିବା ଦିନେ ସମୟର ସାଥେ
ସ୍ମୃତି ଦିନେ ପାଲଟିବା
ଥିଲା କେହି ଜଣେ ଆପଣାର ବୋଲି
ଲୋତକ ହୋଇ ବହିବା ।।
ମୋର ମୋର ପୁଣି କହୁଥିବା ଯାହା
ପଛରେ ଛାଡି ଚାଲିବା
ପାର୍ଥିବ ଶରୀର ପାଉଁଶ ହୋଇବ
ପଞ୍ଚଭୂତେ ମିଶିଯିବା ।।
ସବୁ ଜାଣିଅଛି ବାଇଆ ମନଟା
ତଥାପି କିଆଁ ମାନୁନି
ସାଉଁଟି ଚାଲୁଛି ପାର୍ଥିବ ସୁଖକୁ
ଲୋଭ ମୋହ ତ ଛାଡୁନି ।।
ଦୁଃଖ ଦରିଆରେ ଭାସି ଭାସି ଡାକେ
ରଖ ମହାବାହୁ ରଖ
ସୁଖ ଆସିଯାଏ ଜୀବନରେ ଯେବେ
ନଯାଏ ବିଭୁଙ୍କ ପାଖ ।।
ଜୀବନରେ ଆସେ ବରଷା ବସନ୍ତ
ଋତୁ ବଦଳିଲା ପରି
ସ୍ଥିତପ୍ରଜ୍ଞ ଯିଏ ପ୍ରତ୍ୟେକ ସମୟେ
ଆନନ୍ଦେ କରଇ ପାରି ।।