ବାଉଁଶରାଣୀର ମନ୍ତ୍ର
ବାଉଁଶରାଣୀର ମନ୍ତ୍ର
କେବେ ଭଙ୍ଗା ଜହ୍ନର ଝାପ୍ସା ଆଲୁଅରେ,
ପୁଣି କେବେ ଝଞ୍ଜାପବନର ତାଣ୍ତବରେ,
ସବୁବେଳେ, ସବୁଠାରେ
ସେ ନିଜକୁ ଖଞ୍ଜିଦିଏ ଅନାୟସରେ ।
ଗୁଡାଏ ପେଟର ଭୋକକୁ
ମୁଣ୍ଡରେ ମୁଣ୍ଡାଇ,ମେଞ୍ଚାଏ ଆଶାକୁ
ଚିରା କନାରେ ଗଣ୍ଠୁଳିବାନ୍ଧି,ଚାଲୁଥାଏ ଅନବରତ
ଜୀବନର କଣ୍ଟକିତ ପଥରେ ।
ପାଞ୍ଚଟି ପୋଲାବାଉଁଶ
ଓ କିଛି ଖଣ୍ଡ ଦୁର୍ବଳ ରଜ୍ଜୁ ପାଖରେ
ଜୀବନକୁ ବିକ୍ରି କରିଦେଇ,
ହୃଦୟକୁ ନିଦା କରିଦେଇ,
ସେ ଗାଇଚାଲେ
ଜୀବନର ମଧୁର ସଙ୍ଗୀତ।
ଟଳଟଳ ପାଦ ଦି'ଟା
ସଙ୍କୁରି ଯାଉଥାନ୍ତି ଭୟରେ,
କାଳେ ଖସିଯିବେ ଅଧାବାଟରେ !
ମୁଣ୍ଡର କଳସି କମ୍ପୁଥାଏ
ଗୁଡାଏ ବିଦ୍ରୁପକାରୀଙ୍କ,
ଥଟ୍ଟା ଓ ଉପହାସର ମାଡ଼ରେ ।
ତଥାପିସେ ଗାଇଚାଲେ
ସୁର,ତାଳ ଓ ଲୟରେ
ନାଚି କୁଦି ବିଭୋର୍ କରିଦିଏ
କିଛିଟା ମୁହୁର୍ତ୍ତରେ,
ଯତିପାତ ପକାଏନି ଜୀବନ-ଯାତ୍ରାରେ ।
ତା,ର ପ୍ରତିଟି ପଲକରେ
ଭରିରହିଥାଏ କୁଢ଼କୁଢ଼ ସ୍ୱପ୍ନ,
ପାଦେପାଦେ ଥାଏ କିଛି ହାସଲ୍କରିବାର
ଅଫିମ୍ ଖିଆ ନିଶା ,
ପଦେ ପଦେ ଥାଏ ଜୀବନକୁ ଜୀଇଁବାର
ଶାଶ୍ବତ-ଜୀବନ-ମନ୍ତ୍ର ।
ଗୀତ ତାର ନୁହେଁ,ଅକ୍ଷରର ସଂଯୋଜନ
ଚାରିବେଦ-ମିଶ୍ରିତ ମଧୁମୟସେ-ଗାନ,
ଲୋଡା଼ନାହିଁ ଆଉ ଜୀବନ-ଜିଣିବାକୁ ଅସ୍ତ୍ର
ବାଉଁଶରାଣୀ ଗୋ ଅର୍ପଣକର,
ଅର୍ପଣକର-ତବ ସଞ୍ଜିବନୀ ମନ୍ତ୍ର ।
