ପୂର୍ଣ୍ଣତା
ପୂର୍ଣ୍ଣତା
ସେ ଯେଉଁଠିବି ଥାଉ
ହଠାତ୍ ଚାଲିଆସେ,
ମୋର ଆର୍ତ୍ତନାଦରେ
ବ୍ୟସ୍ତ,ବିବ୍ରତ,ଚିତ୍ତରେ ।
ମୁକୁଳା କେଶକୁ ଅଧା ସଜାଡ଼ି
ପାଉଁଜିର ରୁମ୍ ଝୁମ୍ ନାଦରେ
ପଲକର ବାତାୟନପଥେ
ପଶିଯାଏ ହୃଦୟର ପ୍ରକୋଷ୍ଠ ଭିତରେ ।
ପ୍ରଣୟର ମଧୁର ସଙ୍ଗିତଗାଇ;
ଟଳଟଳ ଆଖି ଦି’ଟାରେ
ଅନେକ ସ୍ମୃତିକୁ ସାଉଁଟି
ମୋତେ ଜାବୁଡ଼ିଧରେ
ତାର ନିଷ୍କଳଙ୍କ ବାହୁ ଦ୍ୱୟରେ ।
ମସୃଣ ଚିବୁକରୁ ଶଦ୍ଦ କଚାରୀ
ମୁଲାୟମ ସ୍ସର୍ଶ ଦେଇ କହେ,
ଆସ,ତମ ହୃଦୟର କଟା ଘା’ରେ
ମାଲିସ୍ କରିଦେବି ପ୍ରୀତିର ମଲମ୍
ଆଖିରୁ ପୋଛିଦେବି
ଗ୍ଲାନିର ଝରା ଶ୍ରାବଣକୁ ।
ମୋତେ ଭୁଲେଇବାକୁ
କରି ଚାଲେ ପ୍ରୟାସ୍ ଉପରେ ପ୍ରୟାସ୍
ସେ ଗୀତ ଗାଏ,
ମୋ ଆଗରେ ଥୋଇଦିଏ
ମେଞ୍ଚାଏ ପୁରୁଣା ସ୍ମୃତି
ନିଜେ ତାକୁ ଉଖାରେ,ନିଖାରେ
ନିଜକୁ ରକ୍ତାକ୍ତକରେ,ଜଳେ ଓ ଜଳିଚାଳେ
କାଳେ ଦେଖିବ!
ଚେନାଏ ହଁସ ମୋ ମୁହଁରେ ।
ଭଙ୍ଗା ହୃଦୟର ଅନେକ ଶବ୍ଦକୁ
ନିଳକଣ୍ଠ ପରି ପିଇଯାଇ,
ଧିରେ ଧିରେ ବଶୀଭୂତ କରିଦିଏ
ତା’ର କାଉଁରି ମନ୍ତ୍ରରେ ।
ମୁଁ ଯେବେ ଦେଖେ
ତାରାମାନେ ଖୁନ୍ଦି ହୋଇଥାନ୍ତି
ଆକାଶର ଧଳା ପରଦା ଉପରେ
ନିଜକୁ ସଜାଡୁଥାନ୍ତି
ଭିନ୍ନ ଭିନ୍ନ ନକ୍ସାରେ,
ସତେ ଅବା ମିଳନ ତାଙ୍କର
କଳ୍ପ କଳ୍ପାନ୍ତର ପରେ
ଚାରିଆଡ଼େ କେବଳ ଗୁଡ଼ାଏ ଶୂନ୍ୟତା
ସେ ଶୂନ୍ୟତାରେ ଖୋଜିଚାଲେ;
ମୁଁ ଜୀବନର ଅସରନ୍ତି ପୂର୍ଣ୍ଣତା ।
